ନ୍ୟୁଜ ଡେକ୍ସ : ରାଜ୍ୟବାସୀଙ୍କ ପାଇଁ ଶୀତ ଋତୁ ଏବେ ଧୀରେ ଧୀରେ ବିଦାୟ ନେବାକୁ ଯାଉଛି। ଆଜିଠାରୁ ରାତି ତାପମାତ୍ରାରେ ବୃଦ୍ଧି ଆରମ୍ଭ ହେବା ସହ ଆସନ୍ତା ୪ ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପାରଦ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ସହିତ ରାଜ୍ୟରେ ଥଣ୍ଡାର ପ୍ରଭାବ ଧୀରେ ଧୀରେ କମିବ।
ପାଣିପାଗ ବିଭାଗ ଅନୁସାରେ, ଆସନ୍ତା ୯ ତାରିଖରୁ ୧୨ ତାରିଖ ଯାଏ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି (Fog) ଦେଖାଯିବା ସମ୍ଭାବନା ରହିଛି। ଏହା ଦୃଶ୍ୟତାକୁ କମାଇ ଦେବା ସହ ସକାଳ ବେଳେ ଯାତାୟାତରେ ସାମାନ୍ୟ ଅସୁବିଧା ସୃଷ୍ଟି କରିପାରେ।ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ବା ଏହା ପାଖାପାଖି ରହିବ। ତଥାପି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପାରଦ ୧୦ ଡିଗ୍ରୀ ସେଲସିୟସ ବା ଏହାଠାରୁ ସାମାନ୍ୟ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ କହିଛି। ପାଣିପାଗ ରିପୋର୍ଟ ଅନୁସାରେ, ସୋମବାର ପୁରୀରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ରହିବାର ସମ୍ଭାବନା ରହିଛି। ଖୋର୍ଦ୍ଧା, ଛତ୍ରପୁର, ଗୋପାଳପୁର ଓ ଭଦ୍ରକରେ ଏହା ୧୬ ଡିଗ୍ରୀ ପାଖାପାଖି ରହିପାରେ।
ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ରାତି ତାପମାତ୍ରା ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ।ମଙ୍ଗଳବାର ପୁରୀରେ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରୀ, ଭଦ୍ରକ, ଛତ୍ରପୁର ଓ ଗୋପାଳପୁରରେ ୧୭ ଡିଗ୍ରୀ ସେଲସିୟସ ରହିପାରେ। ଏହି ପରିବର୍ତ୍ତନ ସହ ରାଜ୍ୟରେ ଧୀରେ ଧୀରେ ଶୀତ ହ୍ରାସ ପାଇ ଗରମ ପାଗ ଆରମ୍ଭ ହେବାର ସୂଚନା ମିଳୁଛି।ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି, ତାପମାତ୍ରା ବୃଦ୍ଧି ସହ ଆଗାମୀ ଦିନରେ ଶୀତ ଜନିତ ସମସ୍ୟା ହ୍ରାସ ପାଇବ, କିନ୍ତୁ ସକାଳ ବେଳେ କୁହୁଡ଼ି ଥିବାରୁ ଯାତାୟାତ ଓ ଚାଷକାର୍ଯ୍ୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

