ନ୍ୟୁଜ ଡେକ୍ସ: ରାଜ୍ୟରେ ଗରମ ପ୍ରକୋପ ଆହୁରି ବଢ଼ିବ । ଆସନ୍ତା ୩ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବା ଆଶଙ୍କା ଅଛି । ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଗ୍ରୀଷ୍ମ ଜ୍ୱାଳା । ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷାକୁ ଉପକୂଳରେ ଗରମ, ଗୁଳୁଗୁଳି ଜ୍ୱାଳା ଅସମ୍ଭାଳ ହେବ।
ଯଦିଓ କିଛି କିଛି ଜାଗାରେ କାଳବୈଶାଖୀଜନିତ ବର୍ଷା ହେବ, ମାତ୍ର ବିସ୍ତୃତ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବନି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।ଅପରପକ୍ଷରେ ଆସନ୍ତା ୧୬ ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଅଧିକ ଘନୀଭୂତ ହୋଇପାରେ ବୋଲି ଅଧିକାଂଶ ମଡେଲ୍ ଆକଳନ କରୁଛନ୍ତି।
ଯେହେତୁ ବର୍ତ୍ତମାନ ପ୍ରାକ୍ ମୌସୁମୀ ବାତ୍ୟା ଋତୁ ଜାରି ରହିଛି, ସେଥିପାଇଁ ଏହି ପାଣିପାଗ ଜନିତ ସ୍ଥିତି ଉପରେ ଆଇଏମ୍ଡି ନଜର ରଖିଛି। ୨୦୨୧ ମସିହା ମେ’ ମାସ ୨୩ରେ ସାମୁଦ୍ରିକ ଝଡ଼ ‘ୟସ’ ଘନୀଭୂତ ହୋଇ ୨୬ରେ ଓଡ଼ିଶାରେ ସ୍ଥଳଭାଗ ଅତିକ୍ରମ କରିଥିଲା। ଏଥିପାଇଁ ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହେଲେ ବାତ୍ୟା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।ଯଦିଓ ବର୍ତ୍ତମାନ ସୁଦ୍ଧା ସମ୍ଭାବ୍ୟ ଲଘୁଚାପ ସମ୍ପର୍କରେ ଆଇଏମ୍ଡି କୌଣସି ଆକଳନ କରି ନାହିଁ, ହେଲେ ଗୁରୁବାର ବିଭାଗ ପକ୍ଷରୁ ଜାରି ହୋଇଥିବା ବିସ୍ତାରିତ ପରିସର ଆକଳନରେ ବିଭିନ୍ନ ମଡେଲ୍ର ଆକଳନ ନେଇ ବିଭାଗ ପକ୍ଷରୁ ଅବଗତ କରାଯାଇଛି।
