ନ୍ୟୁଜ ଡେକ୍ସ : ରାଜ୍ୟରେ ହାଡ ଭଙ୍ଗା ଶୀତର ପ୍ରଭାବ କିଛି ମାତ୍ରାରେ କମିଥିଲେ ମଧ୍ୟ ଘନ କୁହୁଡି ରାଜ୍ୟବାସୀଙ୍କ ଦୈନନ୍ଦିନ ଜୀବନକୁ କଷ୍ଟକର କରିଦେଇଛି। ସକାଳ ୧୦ଟା ପର୍ଯ୍ୟନ୍ତ ରାସ୍ତା ଓ ଘାଟରେ ଦୃଶ୍ୟମାନତା କମିଯାଉଥିବାରୁ ଯାତାୟାତ କରିବା ଅତ୍ୟନ୍ତ ମୁସ୍କିଲ ହେଉଛି। ଗାଡ଼ିଚାଳକ ଓ ସାଧାରଣ ଲୋକ ଦୁହେଁ ଏହି କୁହୁଡି ଯୋଗୁଁ ଭୟଙ୍କର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ଯେ, ଏଭଳି ସ୍ଥିତି ଆଗାମୀ ୫ ଦିନ ଯାଏଁ ଜାରି ରହିବ। ବୁଧବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ, କଟକ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବାର ସମ୍ଭାବନା ରହିଛି।ପାଣିପାଗ ବିଭାଗ କହିଛି ଯେ, ଆସନ୍ତା ୪ ଦିନ ଯାଏଁ ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ। ତେବେ ଏହାପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିଅସ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି, ଯାହା ପୁଣିଥରେ ଶୀତକୁ ଅଧିକ ତୀବ୍ର କରିପାରେ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଜି.ଉଦୟଗିରିରେ ୮.୨ ଡିଗ୍ରୀ ସେଲସିଅସ ରେକର୍ଡ ହୋଇଥିବା ବେଳେ, ସର୍ବାଧିକ ତାପମାତ୍ରା ସମ୍ବଲପୁରରେ ୩୧.୭ ଡିଗ୍ରୀ ସେଲସିଅସ ରହିଥିବା ଜଣାପଡ଼ିଛି।ଘନ କୁହୁଡି ଯୋଗୁଁ ସକାଳ ବେଳର ଯାତାୟାତ, ଟ୍ରେନ୍ ଓ ସଡ଼କ ଯାତ୍ରାରେ ବିଳମ୍ବ ହେବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଯାଇଛି। ପାଣିପାଗ ବିଭାଗ ଓ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସକାଳ ସମୟରେ ସତର୍କତା ଅବଲମ୍ବନ କରିବା ଓ ଅତ୍ୟାବଶ୍ୟକ ନହେଲେ ଯାତ୍ରା ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି।

