Sat. Feb 21st, 2026

ନ୍ୟୁଜ ଡେକ୍ସ : ଆଜିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, କେତେକ ସ୍ଥାନରେ ରାତ୍ରି ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସହ କିଛି ଅଞ୍ଚଳରେ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଏହାଦ୍ୱାରା ଶୀତ ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ, ତେବେ ଘନ କୁହୁଡ଼ି ଲାଗି ରହିବ ବୋଲି ସତର୍କ କରାଯାଇଛି।ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି। ପୂର୍ବରୁ ୨୦୧୦ ଡିସେମ୍ବର ୭ରେ ଏଠାରେ ରାତ୍ରି ତାପମାତ୍ରା ୫.୬ ଡିଗ୍ରୀ, ୨୦୨୦ ଡିସେମ୍ବର ୧୯ରେ ୫.୮ ଡିଗ୍ରୀ ଏବଂ ୨୦୧୪ ଡିସେମ୍ବର ୨୯ରେ ୬.୪ ଡିଗ୍ରୀ ରେକର୍ଡ ହୋଇଥିଲା। ଜିଲାର ବିଭିନ୍ନ ଅଞ୍ଚଳରେ ଏବେ ମଧ୍ୟ ଶୀତ ପ୍ରକୋପ ଜାରି ରହିଛି।ଅନ୍ୟପଟେ, ଗତ ୨୪ ଘଣ୍ଟାରେ ଘୁ. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୩ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୬ ଡିଗ୍ରୀ ରେକର୍ଡ ହୋଇଛି।

ଦାରିଙ୍ଗବାଡ଼ି ଓ ସେମିଳିଗୁଡ଼ାରେ ୭ ଡିଗ୍ରୀ, କିରେଇରେ ୭.୧ ଡିଗ୍ରୀ, ନବରଙ୍ଗପୁରରେ ୮.୮ ଡିଗ୍ରୀ, ଭବାନୀପାଟଣା ଓ ଅନୁଗୋଳରେ ୯ ଡିଗ୍ରୀ ଏବଂ ଚିପିଲିମାରେ ୯.୮ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି। ମଙ୍ଗଳବାର ସକାଳେ ନୟାଗଡ଼, ଫୁଲବାଣୀ, ରାଉରକେଲା, ଢେଙ୍କାନାଳ, ଭବାନୀପାଟଣା, ଝାରସୁଗୁଡ଼ା, ଚାନ୍ଦବାଲି, ଭୁବନେଶ୍ୱର ଓ ବାରିପଦାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା।ପାଣିପାଗ ବିଭାଗ ପକ୍ଷରୁ ବୁଧବାର ସକାଳ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଢେଙ୍କାନାଳ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲାଗୁଡ଼ିକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୁହୁଡ଼ି ଯୋଗୁଁ ଯାତାୟାତରେ ସମସ୍ୟା ସମ୍ଭାବନା ଥିବାରୁ ଲୋକମାନଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *