Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଗ ହେବାକୁ ଯାଉଛି। ଆସନ୍ତା ୧୨ ତାରିଖରେ ପୂର୍ବତନ ବିଧାୟକ ତଥା ପୂର୍ବତନ କଂଗ୍ରେସ ନେତା ମହମ୍ମଦ ମୋକିମ ନିଜର ନୂଆ ଆଞ୍ଚଳିକ ରାଜନୈତିକ ଦଳ ପାଇଁ ମୂଳଦୁଆ ପକାଇବେ। ଏନେଇ ନିଜେ ମହମ୍ମଦ ମୋକିମ ସୂଚନା ଦେଇଛନ୍ତି।ମୋକିମ କହିଛନ୍ତି ଯେ, ଆସନ୍ତା ୧୨ ତାରିଖ ଅର୍ଥାତ୍ ଜାତୀୟ ଯୁବ ଦିବସ ଅବସରରେ ନୂଆ ଦଳର ମୂଳଦୁଆ ପଡ଼ିବ।

ଏହା ପରେ ମାର୍ଚ୍ଚ ମାସର ଶେଷ ସପ୍ତାହ ସୁଦ୍ଧା ସମସ୍ତ ଆବଶ୍ୟକ ପ୍ରକ୍ରିୟା ଶେଷ କରି ଦଳର ସରକାରୀ ଘୋଷଣା କରାଯିବ।ଦଳର ନେତୃତ୍ୱ ଓ ସଦସ୍ୟତାକୁ ନେଇ ମୋକିମ କହିଛନ୍ତି ଯେ, ଉପକୂଳ ଜିଲ୍ଲାଗୁଡ଼ିକର ସମସ୍ତ ଯୁବନେତା ଏକାଠି ହେବେ ଓ ନୂଆ ଦଳରେ ଯୁବକମାନଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯିବ। ଯୁବ ଶକ୍ତି ଉପରେ ଭରସା ରଖି ଦଳ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି।ଦଳର ନାମକୁ ନେଇ ମୋକିମ ସୂଚନା ଦେଇଛନ୍ତି ଯେ, ନୂଆ ଦଳର ନାମରେ ‘କଂଗ୍ରେସ’ ଶବ୍ଦ ରହିବ।

କିନ୍ତୁ ଠିକ୍ କେଉଁ ନାମ ରଖାଯିବ, ସେନେଇ ଏଯାବତ୍ ଚୂଡ଼ାନ୍ତ ସିଦ୍ଧାନ୍ତ ହୋଇନାହିଁ। ଏହି ନାମ ନିର୍ଦ୍ଧାରଣ ପାଇଁ ଜ୍ୟୋତିଷଙ୍କ ସହ ଆଲୋଚନା ଚାଲିଥିବା କଥା ମୋକିମଙ୍କ ଝିଅ ତଥା ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ମହମ୍ମଦ ମୋକିମଙ୍କ ଏହି ଘୋଷଣା ପରେ ରାଜ୍ୟ ରାଜନୀତିରେ ନୂଆ ଆଞ୍ଚଳିକ ଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *