ନ୍ୟୁଜ ଡେକ୍ସ : ରାଜ୍ୟରେ ବୁଡ଼ି ମୃତ୍ୟୁକୁ ନେଇ ବିଧାନସଭାରୁ ଉଦବେଗଜନକ ତଥ୍ୟ ପ୍ରକାଶ ପାଇଛି। ୨୦୨୨ ରୁ ୨୦୨୫ ମଧ୍ୟରେ ନଦୀରେ ବୁଡ଼ି ୧୭୫୦ ଜଣ ଓ ସମୁଦ୍ରରେ ଭାସି ୮୨ ଜଣ ଜୀବନ ହାରାଇଥିବା ତଥ୍ୟ ସଭାଗୃହରେ ଉପସ୍ଥାପିତ ହୋଇଛି।ବିଜେଡି ବିଧାୟକ ବିଭୂତି ବଳବନ୍ତରାୟଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି।
ତଥ୍ୟ ଅନୁଯାୟୀ, କେବଳ ୨୦୨୫ ମସିହାରେ ୪୨୭ ଜଣ ନଦୀ ଓ ଜଳାଶୟରେ ବୁଡ଼ି ପ୍ରାଣ ହରାଇଛନ୍ତି, ଯାହା ଗଭୀର ଚିନ୍ତାଜନକ।ଜିଲ୍ଲାଭିତ୍ତିକ ତଥ୍ୟ ଦେଖିଲେ କଟକ ଜିଲ୍ଲାରେ ସର୍ବାଧିକ ୧୭୯ ଜଣ ବୁଡ଼ି ମୃତ୍ୟୁ ଘଟିଛି। ସେହିପରି କେନ୍ଦୁଝରରେ ୧୬୦, ମୟୂରଭଞ୍ଜରେ ୧୫୪, କେନ୍ଦ୍ରାପଡ଼ାରେ ୧୧୦ ଓ ସମ୍ବଲପୁରରେ ୧୦୭ ଜଣଙ୍କ ନଦୀରେ ବୁଡ଼ି ଜୀବନ ଯାଇଛି।
ଏହି ଘଟଣାଗୁଡ଼ିକୁ ନେଇ ବିଧାନସଭାରେ ଗଭୀର ଆଲୋଚନା ହୋଇଥିବା ବେଳେ, ଜନସାଧାରଣଙ୍କ ସୁରକ୍ଷା ପାଇଁ ନଦୀ, ଘାଟ ଓ ସମୁଦ୍ରତଟ ଅଞ୍ଚଳରେ ଅଧିକ ସଚେତନତା, ସାବଧାନତା ସହ ସୁରକ୍ଷା ବ୍ୟବସ୍ଥା କଢ଼ାକଡ଼ି କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

