ନ୍ୟୁଜ ଡେକ୍ସ : ରାଜ୍ୟରେ ଥିବା ଭିନ୍ନକ୍ଷମ ଶିଶୁଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ଏକ ବିଶେଷ ସର୍ଭେ ଆରମ୍ଭ ହେବାକୁ ଯାଉଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏହି ସର୍ଭେ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି।ଏହି ସର୍ଭେ ଅଧିନେ ଜନ୍ମରୁ ୬ ବର୍ଷ ବୟସ୍ ପର୍ଯ୍ୟନ୍ତ ଥିବା ଭିନ୍ନକ୍ଷମ ଶିଶୁମାନଙ୍କ ତଥ୍ୟ ସଂଗ୍ରହ କରାଯିବ।
ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜିକ କଲ୍ୟାଣ ଅଧିକାରୀ ଏବଂ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କୁ ଏହି ସନ୍ଦର୍ଭରେ ଚିଠି ଜାରି କରାଯାଇଛି। ସେହିପରି ସମସ୍ତ ଆଇସିଡିଏସ୍ ସୁପରଭାଇଜର ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ଅଙ୍ଗନବାଡ଼ି କର୍ମୀମାନେ ନିଜ ଅଞ୍ଚଳରେ ଘରେ ଘରେ ବୁଲି ଭିନ୍ନକ୍ଷମ ଶିଶୁମାନଙ୍କ ତଥ୍ୟ ସଂଗ୍ରହ କରିବେ। ସେମାନଙ୍କୁ ଏହି କାମ ପାଇଁ ପ୍ରତିଜନ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ। ସଂଗ୍ରହ କରାଯାଇଥିବା ତଥ୍ୟଗୁଡିକ ଆଇସିଡିଏସ୍ ସୁପରଭାଇଜରଙ୍କ ମାଧ୍ୟମରେ ସିଡିପିଓଙ୍କୁ ଦିଆଯିବ।
ଭିନ୍ନକ୍ଷମ ଅଧିକାର ଆଇନ (RPWD Act), ୨୦୧୬ ଅନୁସାରେ ଥିବା ସମସ୍ତ ୨୧ଟି ବର୍ଗରେ ଶିଶୁମାନଙ୍କୁ ସାମିଲ କରାଯିବ। ଚିହ୍ନଟ ହୋଇଥିବା ଶିଶୁମାନଙ୍କୁ NEP-୨୦୨୦ ଓ RPWD ଆଇନ ଅନୁଯାୟୀ ବିଭିନ୍ନ ସରକାରୀ ଯୋଜନା ଓ ସେବାରେ ସାମିଲ କରାଯିବ।ସର୍ଭେ ପ୍ରକ୍ରିୟା ଠିକ୍ ଭାବରେ ହେଉଛି କି ନାହିଁ ତାହା ନିର୍ଦ୍ଦେଶିତ ଅଧିକାରୀମାନେ ଯାଞ୍ଚ କରିବେ। ଆସନ୍ତା ଗୋଟିଏ ମାସ ମଧ୍ୟରେ ଏହି ସର୍ଭେ ପ୍ରକ୍ରିୟା ଶେଷ କରିବା ଲକ୍ଷ୍ୟ ରଖାଯାଇଛି।ଏହି ପଦକ୍ଷେପ ରାଜ୍ୟରେ ଭିନ୍ନକ୍ଷମ ଶିଶୁମାନଙ୍କ ନିଜସ୍ୱ ପରିଚୟ, ସୁବିଧା ଓ ଅଧିକାର ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ଟୋନ୍ ହେବ ବୋଲି ବିଭାଗ ଆଶା ବ୍ୟକ୍ତ କରିଛି।

