ନ୍ୟୁଜ ଡେକ୍ସ : ଓଡ଼ିଶାରେ ଲଗାତାର ଅବତରଣ ହେଉଥିବା ପାରଦ ସ୍ତର ଶୀତ ଲହରୀର ପ୍ରଭାବକୁ ଆଉ ଅଧିକ ତୀବ୍ର କରିଦେଇଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ଆକଳନ କରିଛି ଯେ ଆସନ୍ତା ଦୁଇ ସପ୍ତାହ ଯାଏ ରାଜ୍ୟରେ ଶୀତ ଲହରୀ ବହିବାର ସ୍ପଷ୍ଟ ସମ୍ଭାବନା ରହିଛି। ବିଶେଷତଃ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ଶୀତର କଡାକଡ଼ି ବଢ଼ିବାକୁ ଚାଲିଛି।
IMD ଅନୁସାରେ ଶୁକ୍ରବାର ଓ ଶନିବାର (୧୨ ଓ ୧୩ ତାରିଖ)ରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ବିକ୍ଷିପ୍ତ ଶୀତ ଲହରୀ ବହିପାରେ। ଏହି ସମୟରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିପାରେ, ଯାହା ପରିବହନ ବ୍ୟବସ୍ଥାକୁ ପ୍ରଭାବିତ କରିପାରେ।ପାହାଡିଆ ଅଞ୍ଚଳରେ ପାରଦ ୫ ଡିଗ୍ରୀ ସେଲସିଅସ୍ ତଳେ ଯିବା ଆଶଙ୍କା ରହିଛି। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ରାତି ତାପମାତ୍ରା ସାଧାରଣରୁ ବହୁତ କମିଯିବ।
୧୯ରୁ ୨୫ ତାରିଖ ଯାଏ ମଧ୍ୟ ରାତିର ପାରଦ ସ୍ତର ସ୍ବାଭାବିକଠାରୁ କମ୍ ରହିପାରେ ବୋଲି ଆଇଏମ୍ଡି ଜଣାଇଛି। ପାରଦ ସ୍ତର ସେମିଳିଗୁଡ଼ା ଠାରେ ୩.୫ ଡିଗ୍ରି ରେକର୍ଡ ହୋଇଛି। ଜି ଉଦୟଗିରିରେ ପାରଦସ୍ତର ୪ ଡିଗ୍ରି, ଫୁଲବାଣୀରେ ୫.୨ ଡିଗ୍ରି, ଚିପିଲିମାରେ ୬.୧ ଡିଗ୍ରି, ଝାରସୁଗୁଡ଼ାରେ ୬.୮ ଡିଗ୍ରି, ରାଉରକେଲାରେ ୬.୬ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୭ଡିଗ୍ରି ରେକର୍ଡ କରାଯାଇଛି ।

