Wed. Feb 25th, 2026

ନ୍ୟୁଜ ଡେକ୍ସ : ଟେଲିଯୋଗାଯୋଗ ବିଭାଗର ଓଡ଼ିଶା ଲାଇସେନ୍ସ ସେବା ଅଞ୍ଚଳ (ଏଲଏସଏ) କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ବବିଦ୍ୟାଳୟ ଓ ସଂଗଠନମାନଙ୍କ ମଧ୍ୟରେ ସାଇବର୍ ଠକେଇ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଗ୍ରହୀ ଅନୁଷ୍ଠାନମାନେ ଏହା ସମ୍ପର୍କରେ ସ୍ଥାନୀୟ କାର୍ଯ୍ୟାଳୟ ସହ ସମ୍ପର୍କ କରିପାରିବେ ବୋଲି ବିଭାଗ ପକ୍ଷରୁ ଜଣାଇଯାଇଛି।

ଏହି ଅଭିଯାନର ଅଂଶ ଭାବେ ଭୁବନେଶ୍ୱରସ୍ଥିତ ଇଣ୍ଟରନ୍ୟାସନାଲ୍ ମ୍ୟାନେଜମେଣ୍ଟ୍ ଇନଷ୍ଟିଚ୍ୟୁଟ୍‌ରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ଏଲଏସଏର ନିର୍ଦ୍ଦେଶକ ଶ୍ରୀନିବାସ ରାଓ ଅସାପୁ ଓ ଜେଟିଓ (ନିରାପତ୍ତା) ଯୁବରାଜ ବିରାଦର ସଞ୍ଚାର ସାଥୀ ପୋର୍ଟାଲ୍‌ର ବିଭିନ୍ନ ସୁବିଧା ବିଷୟରେ ଆଲୋକପାତ କରିଥିଲେ। ଜଣେ ବ୍ୟକ୍ତିଙ୍କ ନାମରେ କେତେଟି ମୋବାଇଲ୍ ସଂଯୋଗ ରହିଛି ତାହା ଯାଞ୍ଚ କରିବା, ସନ୍ଦେହଜନକ କାରବାର ବିଷୟରେ ଅଭିଯୋଗ କରିବା ଏବଂ ଚୋରି ହୋଇଥିବା ମୋବାଇଲ୍ ହ୍ୟାଣ୍ଡସେଟ୍‌କୁ ବ୍ଲକ୍ କରିବା ସମ୍ବନ୍ଧୀୟ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ୧୭୦ରୁ ଅଧିକ ଛାତ୍ରଛାତ୍ରୀ ଓ ୪୦ ଫାକଲ୍ଟି ସଦସ୍ୟ ଅଂଶଗ୍ରହଣ କରିଥିଲେ।

ସେମାନଙ୍କୁ ଡିଜିଟାଲ୍ ଗିରଫଦାରୀ ଠକେଇ, ଫିସିଂ ଚେଷ୍ଟା, ଓଟିପି ମାଧ୍ୟମରେ ଆର୍ଥିକ ଠକେଇ ଓ ନୂତନ ପ୍ରବୃତ୍ତିର ସାଇବର୍ ଅପରାଧ ବିଷୟରେ ସଚେତନ କରାଯାଇଥିଲା। ଟେଲିକମ୍ ବ୍ୟବସ୍ଥାକୁ ବ୍ୟବହାର କରି ହେଉଥିବା ସନ୍ଦେହଜନକ କାରବାର ବିଷୟରେ ସଞ୍ଚାର ସାଥୀ ଆପ୍ ଓ ପୋର୍ଟାଲ୍ ମାଧ୍ୟମରେ ସାଧାରଣ ଲୋକେ ଅଭିଯୋଗ ଦାଖଲ କରିପାରିବେ ବୋଲି ସୂଚନା ଦିଆଯାଇଥିଲା।ସାଇବର୍ ଠକେଇର ଶିକାର ହେଲେ ୨୪ ଘଣ୍ଟା ମଧ୍ୟରେ ଜାତୀୟ ହେଲ୍ପଲାଇନ୍ ନମ୍ବର ୧୯୩୦ କୁ ଫୋନ୍ କରିବା କିମ୍ବା ଜାତୀୟ ସାଇବର୍ ଅପରାଧ ରିପୋର୍ଟିଂ ପୋର୍ଟାଲ୍ https://cybercrime.gov.in ରେ ଅଭିଯୋଗ ଦାଖଲ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *