Mon. Feb 23rd, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ବ୍ଲକ ଶିକ୍ଷା ଅଧିକାରୀ (BEO) ପଦବୀର ଭାରି ଅଭାବ ଦେଖାଦେଇଛି। ବର୍ତ୍ତମାନ ରାଜ୍ୟରେ ମୋଟ ୧୦୦ଟି ବିଇଓ ପଦବୀ ଖାଲି ପଡିଆଛି। ଏହିକାରଣରୁ ଅନେକ ବ୍ଲକରେ ସ୍କୁଲଗୁଡ଼ିକ ବିନା ମୁରବିରେ ଚାଲୁଥିବା ସୂଚନା ମିଳିଛି। ବିଧାନସଭାରେ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ତଥ୍ୟ ଦେଇଛନ୍ତି।

ମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାର ୯ଟି ବ୍ଲକରେ ବିଇଓ ପଦବୀ ଖାଲି ରହିଛି। ସେହିପରି ଜଗତସିଂହପୁର, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ୭ଟି କରି ବ୍ଲକରେ ପଦବୀ ଖାଲି ରହିଛି। ବାଲେଶ୍ୱର ଜିଲ୍ଲାର ୬ଟି ବ୍ଲକରେ ବିଇଓ ନାହାନ୍ତି।ଏହାଛଡ଼ା ଅନୁଗୋଳ, କନ୍ଧମାଳ, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାର ୫ଟି କରି ବ୍ଲକରେ ପଦବୀ ଖାଲି ରହିଛି। ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଓ ଭଦ୍ରକ ଜିଲ୍ଲାର ୪ଟି କରି ବ୍ଲକରେ ବିଇଓ ନିଯୁକ୍ତି ହୋଇନାହିଁ। ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, ନୟାଗଡ଼ ଓ ସୋନପୁର ଜିଲ୍ଲାର ୩ଟି କରି ବ୍ଲକରେ ଖାଲି ପଡିଛି ବିଇଓ ପଦବୀ।

ସେହିପରି ବଲାଙ୍ଗିର, କଟକ, ଖୋର୍ଦ୍ଧା, ମାଲକାନଗିରି ଓ ସୁନ୍ଦରଗଡ଼ ଜିଲ୍ଲାର ୨ଟି କରି ବ୍ଲକରେ ମଧ୍ୟ ପଦବୀ ଖାଲି ରହିଛି। ବରଗଡ଼, ଦେବଗଡ଼ ଓ ଗଜପତି ଜିଲ୍ଲାର ଗୋଟିଏ କରି ବ୍ଲକରେ ବି ବିଇଓ ପଦବୀ ଖାଲି ପଡିଆଛି।ବ୍ଲକରେ ଶିକ୍ଷା ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହାସଲ କରୁଥିବା ବିଇଓ ପଦବୀ ଦୀର୍ଘଦିନ ଧରି ଖାଲି ରହିଥିବାରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *