Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଚଳିତ ଖରିଫ୍‌ ଋତୁ ପାଇଁ ସରକାରୀ ସ୍ତରରେ ଧାନ କିଣା ପ୍ରକ୍ରିୟା ଜୋରଦାର ଭାବେ ଜାରି ରହିଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୮ଟି ଜିଲ୍ଲାରେ ପଞ୍ଜିକୃତ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯାଉଛି।ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଧାନ କିଣା ଚାଲିଛି।

ଏହି ସବୁ ଜିଲ୍ଲାର ୨ ଲକ୍ଷ ୪୯ ହଜାର ୮୮୮ ଜଣ ପଞ୍ଜିକୃତ ଚାଷୀଙ୍କଠାରୁ ଏପର୍ଯ୍ୟନ୍ତ ୧୧ ଲକ୍ଷ ୧୦ ହଜାର ୬୦୨ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇଛି।ଧାନ କିଣା ବାବଦରେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ରୂପେ ୧୯୬୧ କୋଟି ଟଙ୍କା ଏବଂ ଇନ୍‌ପୁଟ ସହାୟତା ବାବଦକୁ ୬୦୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ମିଶିତ ଭାବେ ପ୍ରାୟ ୨୫୬୬ କୋଟି ଟଙ୍କା ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ସିଧାସଳଖ ଭାବେ ଚାଷୀମାନଙ୍କ ଆକାଉଣ୍ଟକୁ ଜମା ହୋଇଛି।

ଚାଷୀମାନଙ୍କ ସୁବିଧା ନିମନ୍ତେ ସମସ୍ତ ମଣ୍ଡିରେ ଅସ୍ଥାୟୀ ଆଶ୍ରୟସ୍ଥଳ, ପାନୀୟ ଜଳ, ସିସିଟିଭି ମୁତୟନ ସହ ଆବଶ୍ୟକୀୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ମଣ୍ଡିରେ ଅଧିକାରୀମାନେ ନିୟୋଜିତ ରହି ଧାନ କିଣା ପ୍ରକ୍ରିୟା ଉପରେ କଡା ନଜର ରଖୁଛନ୍ତି।ସରକାର ପକ୍ଷରୁ ଚାଷୀମାନଙ୍କୁ କୌଣସି ମଧ୍ୟସ୍ଥଙ୍କ ଉପରେ ଭରସା ନ କରି ସରକାରୀ ସ୍ତରରେ ମାତ୍ର ଧାନ ବିକ୍ରୟ କରିବାକୁ ପରାମର୍ଶ ଦିଆଯାଇଛି। ଧାନ ବିକ୍ରୟ ସଂକ୍ରାନ୍ତୀୟ କୌଣସି ଅଭିଯୋଗ ଥିଲେ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିପାରିବେ ବୋଲି ସରକାର ସୂଚନା ଦେଇଛନ୍ତି ଏବଂ ଏମିତି ଅଭିଯୋଗଗୁଡିକର ତ୍ୱରିତ ଶୁଣାଣି କରାଯାଉଛି।

Leave a Reply

Your email address will not be published. Required fields are marked *