ନ୍ୟୁଜ ଡେକ୍ସ : ଆସନ୍ତା ଏପ୍ରିଲ ମାସରେ ଦେଶର ୧୦ଟି ରାଜ୍ୟରେ ଖାଲି ହେବାକୁ ଯାଉଥିବା ୩୭ଟି ରାଜ୍ୟସଭା ଆସନ ଉପରେ ରାଜନୈତିକ ଗତିବିଧି ଜୋର୍ଦାର ହୋଇଉଠିଛି। ଏହାର ଅଂଶ ଭାବେ ଓଡ଼ିଶାର ୪ଟି ଆସନ ମଧ୍ୟ ଖାଲି ହେବାକୁ ଯାଉଛି। ଏହି ନିର୍ବାଚନକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି।
ପିସିସି ସଭାପତି ଭକ୍ତ ଚରଣ ଦାସ ସ୍ପଷ୍ଟ କରିଛନ୍ତି ଯେ, ସଂଖ୍ୟାବଳ ଥାଉ କି ନଥାଉ କଂଗ୍ରେସ ଦଳ ରାଜ୍ୟସଭା ନିର୍ବାଚନରେ ନିଶ୍ଚୟ ପ୍ରାର୍ଥୀ ଦେବ। “ହାର କି ଜିତ୍, ସେଥିରେ ଆମର ଭୟ ନାହିଁ। ଆମେ ଦଳର ଶକ୍ତି ଓ ସଂଘର୍ଷକୁ ପ୍ରମାଣ କରିବା ପାଇଁ ନିର୍ବାଚନ ମୁହାଁମୁହିଁ ହେବୁ,” ବୋଲି ଭକ୍ତ ଦାସ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଦଳ ଭିତରୁ ହେଉ କି ବାହାରୁ, ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବ। ବର୍ତ୍ତମାନ ୩ରୁ ୪ଜଣଙ୍କ ନାଁ ପ୍ରାଥମିକ ଭାବେ ଆଲୋଚନାରେ ରହିଛି। ଏନେଇ ଦଳର ହାଇକମାଣ୍ଡଙ୍କ ସହ ଆଗାମୀ ଦିନରେ ଚୂଡ଼ାନ୍ତ ଆଲୋଚନା କରାଯିବ।କଂଗ୍ରେସର ଏହି ଘୋଷଣା ପରେ ଓଡ଼ିଶାର ରାଜନୈତିକ ପରିଦୃଶ୍ୟରେ ଚଞ୍ଚଳତା ବଢ଼ିଯାଇଛି। ଏପ୍ରିଲରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ନେଇ ଆସନ୍ତା କିଛି ଦିନ ରାଜ୍ୟର ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

