Tue. Feb 24th, 2026

ନ୍ୟୁଜ ଡେକ୍ସ : ଶିଶୁମାନଙ୍କ ପ୍ରତିଭାକୁ ମଞ୍ଚ ଦେବା ଏବଂ ସେମାନଙ୍କ ମନୋବିକାଶକୁ ଉତ୍ସାହିତ କରିବା ପାଇଁ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଧାମାକେଦାର ଭାବରେ ଉଦ୍‌ଘାଟିତ ହୋଇଛି । ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ଏବଂ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ଯୁଗଲ ଆୟୋଜନରେ ଏହି ପାଞ୍ଚଦିନିଆ ଉତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ପ୍ରାୟ ୫୦୦ରୁ ଅଧିକ ଶିଶୁ ଅଂଶଗ୍ରହଣ କରୁଛନ୍ତି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ସମନ୍ୱିତ ଶିଶୁ ବିକାଶ ଯୋଜନାର ନିର୍ଦ୍ଦେଶକ ଶ୍ରୀମତୀ ମୋନିଷା ବାନାର୍ଜୀ, ଓ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ କୃତିବାସ ରାଉତ ଉପସ୍ଥିତ ହୋଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ଉପମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ — “ପ୍ରତ୍ୟେକ ଶିଶୁ ମଧ୍ୟରେ ଅପାର ପ୍ରତିଭା ରହିଛି।

‘ମହକ’ ଏହି ପ୍ରତିଭାକୁ ମାନ୍ୟତା ଓ ମଞ୍ଚ ଦେବାରେ ଏକ ଅସାଧାରଣ ପ୍ରୟାସ।”ପାଞ୍ଚ ଦିନ ଧରି ଚାଲିଥିବା ଏହି ଉତ୍ସବରେ ଶିଶୁମାନେ ଗୀତ, ନୃତ୍ୟ, ଚିତ୍ରାଙ୍କନ, ବକ୍ତୃତା, ସାଧାରଣ ଜ୍ଞାନ, ନାଟକ ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜ ଦକ୍ଷତା ଦେଖାଇବେ। ଏହା ସହିତ ଅନେକ ସାଂସ୍କୃତିକ ଅନୁଷ୍ଠାନ ଓ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ।ଉଦ୍‌ଘାଟନ ସମାରୋହରେ ‘ମିଶନ ବାତ୍ସଲ୍ୟ’ର ସଫଳତା ଉପରେ ଆଧାରିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା।

ଏହା ସହିତ ଓଡ଼ିଶାରେ ଶିଶୁ ସୁରକ୍ଷା ଯାତ୍ରା ଉପରେ ଆଧାରିତ ଏକ କଫି ଟେବୁଲ୍ ବୁକ୍ ଅତିଥିମାନଙ୍କ ହସ୍ତେ ଉନ୍ମୋଚିତ ହୋଇଥିଲା। ଅତିଥିମାନେ ଆଶା ପ୍ରକାଶ କରିଥିଲେ ଯେ, ଏପରି କାର୍ଯ୍ୟକ୍ରମ ଶିଶୁମାନଙ୍କ ମନୋବିକାଶ, ସ୍ୱାଭିମାନ ଓ ସମାଜିକ ସଚେତନତା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

Leave a Reply

Your email address will not be published. Required fields are marked *