ନ୍ୟୁଜ ଡେକ୍ସ : ରାଜ୍ୟ ସରକାରଙ୍କ କ୍ୟାବିନେଟ୍ର ୩୬ତମ ବୈଠକରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ଓଡ଼ିଶା ରାଜ୍ୟ ବଜେଟ୍କୁ ଅନୁମୋଦନ ଦିଆଯାଇଛି। ଏହି ବଜେଟ୍ ଶୀଘ୍ର ହିଁ ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେବ। ଏହି କ୍ୟାବିନେଟ୍ ବୈଠକରେ ତିନୋଟି ବିଭାଗର ପାଞ୍ଚଟି ପ୍ରସ୍ତାବ ଆଗତ ହୋଇଥିଲା, ଯାହାରୁ ୪ଟିକୁ ମଞ୍ଜୁରି ମିଳିଛି।
କ୍ୟାବିନେଟ୍ ବୈଠକରେ ବିଶେଷ କରି ଜଳ ସମ୍ପଦ ବିଭାଗ ଓ ଶ୍ରମ–ESI ବିଭାଗ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ମିଳିଛି। ଜଳ ସମ୍ପଦ ବିଭାଗ ପକ୍ଷରୁ EPC (Engineering, Procurement and Construction) ଟର୍ନକି ଆଧାରରେ ବାଲେଶ୍ୱର ଜିଲ୍ଲାରେ ୩ଟି ବଡ଼ ସେଚ୍ଛା ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ପ୍ରଥମ ପ୍ରକଳ୍ପ ପାଇଁ ୧୦୫ କୋଟି ୬୨ ଲକ୍ଷ ୬୭ ହଜାର ଟଙ୍କା ବ୍ୟୟ ହେବ ଓ ୫ ବର୍ଷର O&M (ଚାଳନା ଓ ରକ୍ଷାଣାବେକ୍ଷଣ) ପାଇଁ ୫ କୋଟି ୩୧ ଲକ୍ଷ ୧୩ ହଜାର ଟଙ୍କା ଖର୍ଚ୍ଚ କରାଯିବ। ଏହା ମାଧ୍ୟମରେ ବାଲେଶ୍ୱର ଜିଲ୍ଲାର ଉପଡା ଓ ବାହାନାଗା ଅଞ୍ଚଳର ୪୯୨୪.୦୪ ହେକ୍ଟର ଚାଷ ଜମି ସେଚ୍ଛା ସୁବିଧା ପାଇବ। ଦ୍ୱିତୀୟ ପ୍ରକଳ୍ପ ପାଇଁ ୧୦୭ କୋଟି ୯୬ ଲକ୍ଷ ୯୮ ହଜାର ଟଙ୍କା ବ୍ୟୟ ହେବ ଓ O&M ପାଇଁ ୫ କୋଟି ୫୧ ଲକ୍ଷ ୮୪ ହଜାର ଟଙ୍କା ଖର୍ଚ୍ଚ କରାଯିବ। ଏହାର ଲାଭ ନିଳଗିରି, ବାହାନାଗା, ଉପଡା ଓ ରେମୁଣା ଅଞ୍ଚଳର ୫୧୭୭.୯୮ ହେକ୍ଟର ଜମିକୁ ମିଳିବ।
ତୃତୀୟ ସେଚ୍ଛା ପ୍ରକଳ୍ପ ପାଇଁ ୧୪୬ କୋଟି ୧୭ ଲକ୍ଷ ୪୬ ହଜାର ଟଙ୍କା ବ୍ୟୟ ହେବ ଓ ୫ ବର୍ଷର O&M ପାଇଁ ୭ କୋଟି ୬୯ ଲକ୍ଷ ୩୪ ହଜାର ଟଙ୍କା ଖର୍ଚ୍ଚ କରାଯିବ। ଏହି ପ୍ରକଳ୍ପ ଦ୍ୱାରା ବାଲେଶ୍ୱର ଓ ରେମୁଣା ଅଞ୍ଚଳର ୫୭୬୫.୩୪ ହେକ୍ଟର ଜମି ସେଚ୍ଛା ସୁବିଧାରେ ଆସିବ।ସମସ୍ତ ପ୍ରକଳ୍ପକୁ ୨୪ ମାସ ମଧ୍ୟରେ ସମାପ୍ତ କରିବା ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପ ସମାପ୍ତି ପରେ କୃଷକମାନେ ଆର୍ଥିକ ଭାବେ ବିଶେଷ ଲାଭାନ୍ବିତ ହେବେ ଏବଂ ସ୍ଥାନୀୟ ଅଞ୍ଚଳର ସାମାଜିକ–ଆର୍ଥିକ ଉନ୍ନତି ହେବ ବୋଲି ସରକାର ଆଶା କରିଛନ୍ତି।
ସେହିପରି ଶ୍ରମ ଓ ESI ବିଭାଗର ‘ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଚିକିତ୍ସା ସେବା ନିୟମ, ୨୦୨୬’ କୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରି ଦେଇଛି। ଏହି ନୂତନ ନିୟମ ଲାଗୁ ହେଲେ ESI ଅଧୀନରେ କାର୍ଯ୍ୟରତ ଡାକ୍ତର ଓ ଚିକିତ୍ସା କର୍ମଚାରୀଙ୍କ ନିଯୁକ୍ତି, ପଦୋନ୍ନତି ଓ ସେବା ସର୍ତ୍ତାବଳୀ ସ୍ପଷ୍ଟ ହେବ। ଏହା ମାଧ୍ୟମରେ ରାଜ୍ୟର ଚିକିତ୍ସା ସେବା ଆହୁରି ସୁଦୃଢ଼ ହେବା ସହ ESI ଲାଭାନ୍ବିତମାନେ ଉନ୍ନତ ଚିକିତ୍ସା ସୁବିଧା ପାଇବେ ବୋଲି ସରକାର ଆଶା ବ୍ୟକ୍ତ କରିଛନ୍ତି।

