Wed. Feb 25th, 2026

ନ୍ୟୁଜ ଡେକ୍ସ : ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ ଓ ତ୍ୱରାନ୍ୱିତ କରିବା ଦିଗରେ ଆଜି ଯୋଡି ହୋଇଛି ଆଉ ଏକ ନୂତନ ଅଧ୍ୟାୟ। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ପର୍ଯ୍ୟାୟରେ ୧୫୦ ଗୋଟି ନୂତନ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି।ସୂଚନାଯୋଗ୍ୟ ଯେ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମୁଦାୟ ୪୨୮ଟି ନୂଆ ୧୦୮-ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି।

ଏଥିରେ ୪୧୯ଟି ପୁରୁଣା ଆମ୍ବୁଲାନ୍ସ ଓ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ୨ଟି ଆମ୍ବୁଲାନ୍ସକୁ ପରିବର୍ତ୍ତନ କରି ନୂଆ ଗାଡ଼ି ବ୍ୟବହାରରେ ଆଣାଯାଉଛି। ଏହା ସହିତ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ବିମାନବନ୍ଦର ଓ ଏୟାରସ୍ଟ୍ରିପ୍‌ରେ ବ୍ୟବହାର ପାଇଁ ୫ଟି ALS ଆମ୍ବୁଲାନ୍ସ ଓ ଝାରସୁଗୁଡ଼ା କାର୍ଡିଆକ୍ କେୟାର୍ ହସ୍ପିଟାଲ ପାଇଁ ୨ଟି ALS ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି।କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାକୁ ଅଧିକ ଉନ୍ନତ କରିବା ପାଇଁ ପର୍ଯ୍ୟାୟକ୍ରମେ ପୁରୁଣା ଆମ୍ବୁଲାନ୍ସଗୁଡ଼ିକୁ ବଦଳାଯାଇ ନୂଆ ଆମ୍ବୁଲାନ୍ସ ସଂଯୋଜନ କରାଯାଉଛି।

ସ୍ୱାସ୍ଥ୍ୟ ସେବାକୁ ଆହୁରି ଗତିଶୀଳ କରିବା ପାଇଁ ୧୦୮-EMAS ଆମ୍ବୁଲାନ୍ସ କ୍ରୟ କରାଯାଇଛି ବୋଲି ସେ କହିଥିଲେ। ସୂଚନା ଅନୁସାରେ, ରାଜ୍ୟରେ ଦୈନିକ ପ୍ରାୟ ୫ ହଜାର ରୋଗୀ ୧୦୮-ଆମ୍ବୁଲାନ୍ସ ସେବା ଜରିଆରେ ବିଭିନ୍ନ ହସ୍ପିଟାଲକୁ ନେଯାଯାଉଛନ୍ତି। ୪୨୮ଟି ଆମ୍ବୁଲାନ୍ସ କ୍ରୟ ପାଇଁ ରାଜ୍ୟ ସରକାର ୧୧୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଆଜି ଲୋକାର୍ପଣ କରାଯାଇଥିବା ୧୫୦ଟି ନୂତନ ଆମ୍ବୁଲାନ୍ସ ସହିତ ଅବଶିଷ୍ଟ ଗାଡ଼ିଗୁଡ଼ିକୁ ମଧ୍ୟ ଖୁବଶୀଘ୍ର ସେବାରେ ନିୟୋଜିତ କରାଯିବ ଏବଂ ପୁରୁଣା EMAS ଫ୍ଲିଟ୍‌କୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରାଯିବ।

ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ସ୍ୱାସ୍ଥ୍ୟ ବିଭାଗୀୟ କମିଶନର-ସଚିବ ଅଶ୍ୱତୀ ଏସ, ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶିକା ଡଃ ବୃନ୍ଦା ଡିଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *