Sat. Feb 21st, 2026

ନ୍ୟୁଜ ଡେକ୍ସ : ସୋମବାର ଠାରୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଯାଜପୁର ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରଖିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ଯାଜପୁର ପୌରାଞ୍ଚଳ ସହ ସହର ସଂଲଗ୍ନ ଅଞ୍ଚଳର ସମସ୍ତ ସ୍କୁଲ୍‌ ବନ୍ଦ ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଇଓ ପକ୍ଷରୁ ଏହି ଛୁଟି ଘୋଷଣା ହୋଇଛି।

ଆଜି ରାଷ୍ଟ୍ରପତି ମା’ ବିରଜାଙ୍କ ଦର୍ଶନ ଓ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ଥିବାରୁ ସହରରେ ଭୀଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ଆଖି ଆଗରେ ରଖି ଏହି ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁଲିସ, ସ୍ପେସାଲ୍ ସୁରକ୍ଷା ବଳ ଓ ପ୍ରଶାସନ ପକ୍ଷରୁ ସମସ୍ତ ରାସ୍ତା, ମନ୍ଦିର ପରିସର ଓ ସହର ଅଞ୍ଚଳରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।ରାଷ୍ଟ୍ରପତି ଆଜି ସକାଳେ ଯାଜପୁର ପହଞ୍ଚି ପ୍ରଥମେ ମା’ ବିରଜା ମନ୍ଦିରକୁ ଯାଇ ଦର୍ଶନ କରିବେ। ପରେ ସେ ନାଭି ଗୟାରେ ପୂଜାର୍ଚ୍ଚନା ଓ ପିଣ୍ଡଦାନ କରିବେ।

ଧାର୍ମିକ ରୀତିନୀତି ପୂରଣ ପରେ ସେ ଅପରାହ୍ଣରେ ବାଲେଶ୍ୱର ଯାଇ ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଓ ଛାତ୍ରଛାତ୍ରୀମାନଙ୍କୁ ଦୀକ୍ଷାନ୍ତ ଭାଷଣ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଯାଜପୁର ସହରରେ ବିଶେଷ ସଚେତନତା ଜାରି ରହିଛି। ରାସ୍ତା ଘାଟ, ମନ୍ଦିର ପରିସର ଓ ହେଲିପ୍ୟାଡ୍‌ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଷ୍ଟ୍ରପତିଙ୍କ ଏହି ଧାର୍ମିକ ଓ ଶିକ୍ଷାତ୍ମକ ଗସ୍ତକୁ ନେଇ ସାରା ଜିଲ୍ଲାରେ ଉତ୍ସାହ ଓ ଆଗ୍ରହ ଦେଖାଯାଉଛି।

Leave a Reply

Your email address will not be published. Required fields are marked *