Sat. Feb 21st, 2026

ନ୍ୟୁଜ ଡେକ୍ସ : ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ଶ୍ରୀକ୍ଷେତ୍ରରେ ବ୍ୟାପକ ସୁରକ୍ଷା ଓ ପ୍ରଶାସନିକ ପ୍ରସ୍ତୁତି ଦେଖାଯାଇଛି। ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ ଓ ଧାର୍ମିକ କାର୍ଯ୍ୟକ୍ରମକୁ ସୁସ୍ଥ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ, ଆଜି ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିରର ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ପ୍ରଥମେ ପୁରୀର ବାଲିସାହି ଅଞ୍ଚଳରେ ଅବସ୍ଥିତ ପବିତ୍ର ଶ୍ଵେତଗଙ୍ଗା ପୁଷ୍କରିଣୀରେ ପିଣ୍ଡଦାନ କରିବେ। ପିଣ୍ଡଦାନ ସମ୍ପନ୍ନ କରିବା ପରେ ସେ ସିଧାସଳଖ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ। ରାଷ୍ଟ୍ରପତି ଶ୍ରୀମନ୍ଦିରର ସିଂହଦ୍ୱାର ଦ୍ୱାରା ପ୍ରବେଶ କରି ଗର୍ଭଗୃହ ଭିତରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ବୋଲି କାର୍ଯ୍ୟକ୍ରମରେ ଉଲ୍ଲେଖ ରହିଛି।ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସହର ସମଗ୍ର ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ମନ୍ଦିର ଆସପାସ, ରାସ୍ତାଘାଟ ଏବଂ ରାଷ୍ଟ୍ରପତିଙ୍କ ଯାତ୍ରା ମାର୍ଗରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି ଟ୍ରାଫିକ୍ ବ୍ୟବସ୍ଥା, ନଜରଦାରୀ ଓ ସୁରକ୍ଷା ଯାଞ୍ଚକୁ ମଧ୍ୟ ଅଧିକ କଡା କରାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଭକ୍ତମାନଙ୍କୁ ସୁବିଧା ଓ ଶୃଙ୍ଖଳା ରଖିବା ପାଇଁ ଯଥାଯଥ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତିଙ୍କ ଦର୍ଶନ ପରେ ସାଧାରଣ ଭକ୍ତମାନଙ୍କ ପାଇଁ ପୁନଃ ଦର୍ଶନ ଆରମ୍ଭ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *