ନ୍ୟୁଜ ଡେକ୍ସ: ସବୁଦିନ ପାଇଁ ଆମକୁ ଛାଡି ଚାଲିଯାଇଛନ୍ତି ଦେଶର ବିଚକ୍ଷଣ ଅର୍ଥଶାସ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଶନିବାର ତାଙ୍କର ଶେଷକୃତ୍ୟ ଅନୁଷ୍ଠିତ ହେବା ନେଇ କଂଗ୍ରେସ ପକ୍ଷରୁ ସୂଚିତ କରାଯାଇଛି ।
ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜେପି ନଡ୍ଡା, କଂଗ୍ରେସ ନେତା ସୋନିଆ ଗାନ୍ଧି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସାଂସଦ ପ୍ରିୟଙ୍କା ଗାନ୍ଧି ପ୍ରମୁଖ ମନମୋହନ ସିଂହଙ୍କ ବାସଭବନରେ ପହଞ୍ଚିଥିଲେ। ସେମାନେ ଏହି ଅମାୟିକ ତଥା ବିଦ୍ୱାନ ଜନପ୍ରିୟ ନେତାଙ୍କ ଅନ୍ତିମ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।ମନମୋହନଙ୍କ ପରିବାରରେ ପତ୍ନୀ ଓ ୩ ଝିଅ ଅଛନ୍ତି। ତାଙ୍କର ଜଣେ ଝିଅ ଆମେରିକାରେ ରହୁଥିବା ବେଳେ ସେ ଆସନ୍ତାକାଲି ପହଞ୍ଚିଲେ ଅନ୍ତିମ ସତ୍କାର କରାଯିବ ବୋଲି ଜଣାଯାଇଛି।ମନମୋହନଙ୍କ ପରଲୋକରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ମନମୋହନଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।
ପ୍ରଖ୍ୟାତ ଅର୍ଥନୀତିଜ୍ଞ, ଭାରତବର୍ଷରେ ଜଗତୀକରଣ ଅର୍ଥନୀତିର ପ୍ରବର୍ତ୍ତକ ଥିଲେ ମନମୋହନ ସିଂହ । ଅତି ସରଳ, ଅତି ଅମାୟିକ ଓ ଅତ୍ୟନ୍ତ ନମ୍ର ସ୍ୱଭାବର ବ୍ୟକ୍ତି ଥିଲେ । ୩୩ ବର୍ଷ ଧରି ରାଜ୍ୟସଭାର ସଦସ୍ୟ ରହିଥିଲେ । ଗତବର୍ଷ ଏପ୍ରିଲରେ ରାଜ୍ୟସଭା ସାଂସଦ ଭାବରେ ଅବସର ନେଇଥିଲେ ମନମୋହନ ସିଂହ । ତାଙ୍କୁ ୧୯୮୭ରେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା ।
