Sat. Feb 21st, 2026

ନ୍ୟୁଜ ଡେକ୍ସ : ଦୀର୍ଘ ସମୟ ଧରି ରାଷ୍ଟ୍ରପତି ଶାସନରେ ରହିଥିବା ହିଂସାଗ୍ରସ୍ତ ମଣିପୁରରେ ଶେଷରେ ଗଣତାନ୍ତ୍ରିକ ସରକାର ଗଠିତ ହୋଇଛି। ମୈତେଇ ସମ୍ପ୍ରଦାୟର ପ୍ରସିଦ୍ଧ ସାମରିକ କଳା ବିଶେଷଜ୍ଞ ୟୁମନାମ ଖେମଚାନ୍ଦ ସିଂହ ଆଜି ମଣିପୁରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ସହ ରାଜ୍ୟରେ ରାଷ୍ଟ୍ରପତି ଶାସନର ଅବସାନ ହୋଇ ଏକ ନୂଆ ରାଜନୈତିକ ଅଧ୍ୟାୟର ଆରମ୍ଭ ହୋଇଛି।ଶପଥ ଗ୍ରହଣ ପୂର୍ବରୁ ୟୁମନାମ ଖେମଚାନ୍ଦ ସିଂହ ମଣିପୁରର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଆଧିକାରିକ ଭାବେ ଦାବି ପେଶ କରିଥିଲେ।

ରାଜ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ହିଂସା, ଅଶାନ୍ତି ଓ ସାମ୍ପ୍ରଦାୟିକ ତଣାତଣି ପରେ ନୂଆ ସରକାର ଗଠନ ହେବାକୁ ଲୋକମାନେ ଆଶାର ଚାହୁଁଛନ୍ତି।ନୂଆ ସରକାରରେ ସମତୁଳିତ ସାମ୍ପ୍ରଦାୟିକ ପ୍ରତିନିଧିତ୍ୱ ରଖିବାକୁ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି। ବିଜେପି ବିଧାୟକ ନେମଚା କିପଗେନ, ଯିଏ କୁକି ସମ୍ପ୍ରଦାୟର, ସେ ମଣିପୁରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ନାଗା ପିପୁଲ୍ସ ଫ୍ରଣ୍ଟ (NPF) ବିଧାୟକ ଏଲ୍‌ ଦିଖୋ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହା ମାଧ୍ୟମରେ ମୈତେଇ, କୁକି ଓ ନାଗା – ତିନି ପ୍ରମୁଖ ସମ୍ପ୍ରଦାୟକୁ ନୂଆ ସରକାରରେ ସ୍ଥାନ ଦିଆଯାଇଛି, ଯାହାକୁ ରାଜ୍ୟରେ ସାମ୍ପ୍ରଦାୟିକ ସମନ୍ୱୟ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି। ଅନ୍ୟପଟେ ବିଜେପିର ଗୋବିନ୍ଦାସ କନ୍ଥୌଜାମ ଏବଂ ନ୍ୟାସନାଲ ପିପୁଲ୍ସ ପାର୍ଟି (NPP)ର କେକେ ଲୋକେନ ସିଂହ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଏହି ଶପଥଗ୍ରହଣ କାର୍ଯ୍ୟକ୍ରମର ଆଉ ଏକ ଆକର୍ଷଣ ଥିଲା – ଉପମୁଖ୍ୟମନ୍ତ୍ରୀ ନେମଚା କିପଗେନ ନୂଆଦିଲ୍ଲୀସ୍ଥିତ ମଣିପୁର ଭବନରୁ ଡିଜିଟାଲ ମାଧ୍ୟମରେ ଶପଥ ଗ୍ରହଣ କରିଥିବା।ହିଂସା, ଅଶାନ୍ତି ଓ ରାଷ୍ଟ୍ରପତି ଶାସନର ଦୀର୍ଘ ଅଧ୍ୟାୟ ପରେ ମଣିପୁରରେ ନୂଆ ସରକାର ଗଠନ ହେବାକୁ ରାଜ୍ୟବାସୀ ଏକ ନୂଆ ଆଶା ଭାବେ ଦେଖୁଛନ୍ତି। ଏବେ ସମସ୍ତଙ୍କ ନଜର ନୂଆ ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚାନ୍ଦ ସିଂହଙ୍କ ଉପରେ, ଯେ ସେ କିପରି ରାଜ୍ୟରେ ଶାନ୍ତି, ସାମ୍ପ୍ରଦାୟିକ ସମନ୍ୱୟ ଓ ଉନ୍ନତିର ଧାରାକୁ ପୁନଃସ୍ଥାପିତ କରିପାରିବେ।

Leave a Reply

Your email address will not be published. Required fields are marked *