ନ୍ୟୁଜ ଡେକ୍ସ: ଏବେ ଦେଶରେ ଡବଲ ଇଞ୍ଜିନର ହାଓ୍ବା ଚାଲିଛି । ଯେକୌଣସି ବି ନିର୍ବାଚନ ହେଉ, ବିଜେପି ଡବଲ ଇଞ୍ଜିନ୍ ନାରା ଦେଇଥାଏ । ଏହି ନିକଟରେ ଦିଲ୍ଲୀରେ ବି ଡବଲ ଇଞ୍ଜିନ୍ ଚାଲୁ ହୋଇଛି । ତେବେ ଡବଲ ଇଞ୍ଜିନ୍ କଥା ଆସିଲେ ସାଧାରଣତଃ ବିଜେପି ସରକାରଙ୍କ କଥା ହିଁ ଉଠେ । କିନ୍ତୁ ଏବେ ଚର୍ଚ୍ଚାରେ ରହିଛି ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ‘ଡବଲ ଇଞ୍ଜିନ୍’ ଥିଓରୀ । ଏଠି ଡବଲ ଇଞ୍ଜିନ୍ ସରକାର ନୁହେଁ, ଏଠି ରାହୁଲଙ୍କ ଡବଲ ଇଞ୍ଜିନ୍ ଏମପି ଥିଓରୀ ନେଇ ଚର୍ଚ୍ଚା ।
ଗୁରୁବାର ରାହୁଲ ଗାନ୍ଧି ତାଙ୍କ ସଂସଦୀୟ କ୍ଷେତ୍ର ରାୟବରେଲିର ଉଞ୍ଚାହାରରେ ଥିଲେ। ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ ଗାନ୍ଧୀ କହିଛନ୍ତି, ରାୟବରେଲି ଏପରି ଏକ ଆସନ, ଯେଉଁଠି ଦୁଇଜଣ ସାଂସଦ ଅଛନ୍ତି। ଗୋଟିଏ ମୁଁ ଏବଂ ଅନ୍ୟଟି ଜଣେ ହେଉଛନ୍ତି ପ୍ରିୟଙ୍କା ଗାନ୍ଧି। ତୁମେ ତାଙ୍କୁ ମଧ୍ୟ ଏଠାକୁ ଡାକିବା ଉଚିତ୍ ଥିଲା । ଏହାସହ ରାହୁଲ ଗାନ୍ଧି ଲୋକସଭା ନିର୍ବାଚନରେ ଲୋକଙ୍କ ସମର୍ଥନ ପାଇଁ ରାୟବରେଲୀର ଲୋକ ଏବଂ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହ ଅବସରରେ ରାହୁଲ ଗାନ୍ଧୀ ଡବଲ ଇଞ୍ଜିନ ଏମପି ଥିଓରୀ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ତେବେ କହିରଖୁଛୁ, ବିଗତ କିଛି ବର୍ଷ ପ୍ରିୟଙ୍କା ଗାନ୍ଧୀ ରାଏବରେଲି ବହୁତ ସକ୍ରିୟ ରହିଛନ୍ତି ।
୨୦୧୯ରୁ ମା ସୋନିଆ ଗାନ୍ଧୀ ମଧ୍ୟ ରାଏବରେଲିରୁ ହିଁ ସାଂସଦ ରହିଆସୁଥିଲେ । ସୋନିଆ ରାଜସ୍ଥାନରୁ ରାଜ୍ୟସଭା ଯିବା ପରେ, ଚର୍ଚ୍ଚା ହେଉଥିଲା କି, ପ୍ରିୟଙ୍କା ଏଥର ରାଏବରେଲିରୁ ଲଢିବେ । ହେଲେ ୨୦୨୪ ନିର୍ବାଚନରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ ହିଁ କରିନଥିଲା କଂଗ୍ରେସ । ଆଉ ରାହୁଲ ଗାନ୍ଧୀ ଉଭୟ ଓ୍ବାୟନାଡ ଏବଂ ରାୟବରେଲିରୁ ନିର୍ବାଚନ ଲଢିଥିଲେ । ଆଉ ଦୁଇଟି ଆସନ ଜିତିଥିଲେ ମଧ୍ୟ । ପରେ ରାହୁଲ ଓ୍ବାୟନାଡ ସିଟ୍ ଛାଡିଥିଲେ ଏବଂ ଉପନିର୍ବାଚନରେ ପ୍ରିୟଙ୍କା ଏଠାରୁ ସାଂସଦ ହୋଇଥିଲେ ।
