ନ୍ୟୁଜ ଡେସ୍କ: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପାଇଁ ଅଡୁଆ ସାଜିଛି ଜଲେବି। ହରିୟାଣା ଗୋହନାର ମାତୁରାମର ଜଲେବି ରାହୁଲ ଗାନ୍ଧିଙ୍କୁ ଭାରି ପଡିଲାଣି। ସେ ଯେବେଠୁ ମଞ୍ଚ ଉପରୁ ଜଲେବିରୁ ରୋଜଗାର ସମ୍ଭାବନା ଏବଂ ବଡ଼ ଫ୍ୟାକ୍ଟ୍ରି ଲଗାଇବାକୁ କହିଥିଲେ, ସୋସିଆଲ ମିଡିଆରେ ସେବେଠୁ ବିଭିନ୍ନ ପ୍ରକାରର ମିମ୍ସର ଝଡ଼ ସୃଷ୍ଟି ହୋଇଛି।ହରିୟାଣା ବିଧାନସଭା ନିର୍ବାଚନରେ ଜଲେବି ପ୍ରସଙ୍ଗ ଏକ ରୋଚକ ବିଷୟ ଥିଲା l
ହରିୟାଣାରେ କଂଗ୍ରେସ ନିର୍ବାଚନ ହାରିବା ପରେ ଏହି ଜଲେବି ପ୍ରସଙ୍ଗକୁ ନେଇ ଦଳକୁ ଟାର୍ଗେଟ୍ କରିଛି ବିଜେପି । ରାହୁଲ ଗାନ୍ଧିଙ୍କ ଘରକୁ ଏକ କିଲୋ ଜଲେବି ପଠାଇବା ସହ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ସୂଚନା ଦେଇଛି ବିଜେପି l ଏକ ସ୍କ୍ରିନସଟ୍ ସହ ଏକ୍ସରେ ଏକ ପୋଷ୍ଟ କରି ବିଜେପି ଲେଖିଛି ଯେ, “ବିଜେପି(ହରିଆଣା) ର ସମସ୍ତ କର୍ମୀଙ୍କ ତରଫରୁ ରାହୁଲ ଗାନ୍ଧୀଙ୍କ ଘରକୁ ଏକ କିଲୋ ଜଲେବି ପଠାଯାଇଛି।’’ ପୋଷ୍ଟ ହୋଇଥିବା ସ୍କ୍ରିନ୍ସଟଟି ଏକ ଫୁଡ୍ ଡେଲିଭରି ଆପ୍ l ହରିୟାଣା ନିର୍ବାଚନ ପ୍ରଚାର ବେଳେ ଗୋହନାରେ ପ୍ରସିଦ୍ଧ ମାତୁରାମ ହାଲୱାଇଙ୍କ ଜଲେବିଙ୍କ ଖାଇଥିଲେ ରାହୁଲ ଗାନ୍ଧି।
ଖାଇବା ପରେ ଭାଷଣରେ ସେହି ଜଲେବି ଥିଓରି ଦୋହାରାଇଥିଲେ ରାହୁଲ। ସେ କହିଥିଲେ, ଏଭଳି ଜଲେବି ଫ୍ୟାକ୍ଟ୍ରିରେ ତିଆରି ହେଲେ ୫୦ ହଜାର ଲୋକ ନିଯୁକ୍ତି ପାଇବେ ଓ ଏହା ବାହାର ରାଜ୍ୟ ଓ ବିଦେଶକୁ ବି ରପ୍ତାନୀ ହୋଇପାରିବ। କିନ୍ତୁ ଏହାକୁ ତୀବ୍ର ସମାଲୋଚନା କରିଥିଲେ ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ। ସେ କହିଥିଲେ, ରାହୁଲ ଜାଣିନାହାନ୍ତି ଜଲେବି କେମିତି ତିଆରି ହୁଏ ଓ କେମିତି ବିକ୍ରି ହୁଏ।