ନ୍ୟୁଜ ଡେକ୍ସ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଶେଷକୃତ୍ୟକୁ ନେଇ ଚାଲିଥିବା ବିବାଦ ଶେଷ ହେବା ପରେ ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି। ମନମୋହନଙ୍କ ନିଧନରେ ଏବେ ସାରା ଦେଶ ୭ ଦିନ ପାଇଁ ଶୋକପାଳନ କରୁଛି। କିନ୍ତୁ ଏହି ସମୟରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ନୂଆ ବର୍ଷ ପାଳନ ପାଇଁ ଅଚାନକ ଭିଏତନାମ ଗସ୍ତ କରିବା ବିଷୟକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ପୁଣି ବାକ୍ଯୁଦ୍ଧ ଆରମ୍ଭ ହୋଇଛି।
ମାଲବ୍ୟ କହିଛନ୍ତି, “ଯେତେବେଳେ ପୂରା ଦେଶ ଡ ମନମୋହନ ସିଂହଙ୍କ ବିୟୋଗରେ ଶୋକ ପାଳନ କରୁଛି ସେତେବେଳେ ରାହୁଲ ଗାନ୍ଧି ନୂଆ ବର୍ଷ ପାଳନ କରିବା ପାଇଁ ଭିଏତନାମ ଚାଲି ଯାଇଛନ୍ତି। ରାହୁଲ ଗାନ୍ଧି କେବଳ ଡ ସିଂହଙ୍କ ବିୟୋଗକୁ ରାଜନୀତିକ ରୂପ ଦେଉଛନ୍ତି।” ତେବେ ଏହାର ଜବାବ କଂଗ୍ରେସ ପକ୍ଷରୁ ଦିଆଯାଇଛି। କଂଗ୍ରେସ ସାଂସଦ ମଣିକମ ଟାଗୋର କହିଛନ୍ତି, “ଟେକ ଡାଇଭର୍ସନ ରାଜନୀତି ସଙ୍ଘିମାନେ କେବେ ବନ୍ଦ କରିବେ? ମୋଦି ଯେଉଁ ଭଳି ଡ ସାହେବଙ୍କ ଅନ୍ତିମ ସଂସ୍କାର ପାଇଁ ଯମୁନା କୂଳରେ ସ୍ଥାନ ଦେଲେ ନାହିଁ ଓ ତାଙ୍କ ମନ୍ତ୍ରୀମାନେ ଯେଉଁଭଳି ଭାବେ ଡ ସାହେବଙ୍କ ପରିବାରକୁ କୋଣଠେସା କଲେ, ତାହା ଅତ୍ୟନ୍ତ ଲଜ୍ଜାଜନକ।
ଯଦି ରାହୁଲ ଗାନ୍ଧି ବ୍ୟକ୍ତିଗତ ଭାବେ ଯାତ୍ରା କଲେ, ତା’ହେଲେ ଆପଣଙ୍କର କ’ଣ ସମସ୍ୟା ହେଉଛି? ନବ ବର୍ଷରେ ସୁସ୍ଥ ହୋଇଯାଅ।” ମନମୋହନ ସିଂହଙ୍କ ଅସ୍ତିକୁ ସଂଗ୍ରହ ପାଇଁ ଗାନ୍ଧି ପରିବାରର କେହି ଉପସ୍ଥିତ ନଥିବାରୁ ଦିନକ ତଳେ ବିଜେପି ଏହା ଉପରେ ପ୍ରଶ୍ନ ଉଠାଇଥିଲା। ପରିବାର ଲୋକଙ୍କ ଗୋପନୀୟତାକୁ ସମ୍ମାନ ଜଣାଇ ଗାନ୍ଧି ପରିବାରର କୌଣସି ସଦସ୍ୟ ସେଠାରେ ଉପସ୍ଥିତ ନଥିବା କଂଗ୍ରେସ କହିଥିଲା।ଏଥିସହ ଶ୍ରୀ ସିଂହଙ୍କ ପରିବାର ଲୋକଙ୍କ ସହ ମଧ୍ୟ କଂଗ୍ରେସର ନେତାମାନେ ଏ ସମ୍ପର୍କରେ କଥା ହୋଇଥିବା ଦଳ ପକ୍ଷରୁ କୁହାଯାଇଥିଲା। ତଥାପି ଏହାକୁ ପ୍ରସଙ୍ଗ କରି ବିଜେପି ଗାନ୍ଧି ପରିବାରକୁ ଘେରିବାରେ ଲାଗିଛି।