ନ୍ୟୁଜ ଡେକ୍ସ : ପ୍ରଥା ଆଉ ପରମ୍ପରାକୁ ଦ୍ବାହି ଦେଇ ଚାଲିଛି ସାମାଜିକ ଅତ୍ୟାଚାର । କଙ୍ଗାରୁ କୋର୍ଟ କରି ଦଣ୍ଡିତ କରାଯାଉଛି । ଉପାନ୍ତ ଅଞ୍ଚଳରେ ଏମିତି ଏକାଧିକ ଘଟଣା ଘଟିଯାଉଥିଲା କେହି ଜାଣିପାରୁନଥିଲେ କିନ୍ତୁ ଏବେ ମୋବାଇଲ ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେଉଛି। ଫଳରେ ଘଟଣା ପ୍ରଘଟ ହେବା ସହିତ ଲୋକେ କେମିତି ମାନସିକତା ନେଇ ଅଛନ୍ତି ତାହା ଜଣାପଡୁଛି।
ରାୟଗଡା ଜିଲ୍ଲାରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କଲ୍ୟାଣସିଂପୁର ବ୍ଲକ ସିକୋରପାଇ ପଞ୍ଚାୟତର କଞ୍ଜାମଯୋଡି ଗାଁରେ ଏହି ଘଟଣା ଘଟିଛି । ନିଜ ପିଉସୀକୁ ବିବାହ କରିଥିବା ପୁତୁରାକୁ ଗ୍ରାମବାସୀ ପ୍ରଜାକୋର୍ଟରେ ଦଣ୍ଡ ଦେଇଛନ୍ତି । କିଛିଦିନ ହେଲା ପୁତୁରା ଲାକ ସାରକା ଓ ପିୟୁସି କୋଡିୟା ସାରକା ଲୁଚି ଲୁଚି ପ୍ରେମ କରୁଥିଲେ । ଆଉ ପ୍ରେମ ବଢିଯିବା ପରେ ଉଭୟେ ବିବାହ କରିଥିଲେ ବୋଲି ସୂଚନା ମିଳିଛି । ଏହି ଘଟଣା ପରେ ସେମାନଙ୍କୁ ଗ୍ରାମବାସୀ ଦଣ୍ଡ ଦେଇଥିଲେ । ଗତ ସପ୍ତାହେ ତଳୁ ଏହି ଘଟଣା ଘଟିଥିଲା । ଉଭୟ ପ୍ରେମୀ ଯୁଗଳଙ୍କୁ ଗ୍ରାମବାସୀ ବିଲରେ ହଳ କରାଇଛନ୍ତି ।
କିଛି ଲୋକ ସେମାନଙ୍କ ହଳ କରିବା ଦୃଶ୍ୟ ମଧ୍ୟ ଦେଖୁଛନ୍ତି । ହେଲେ କେହି ଏମାନଙ୍କୁ କିଛି କହୁନାହାଁନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି । ଏ ବାବଦରେ ଗ୍ରାମବାସୀଙ୍କ କହିବାନୁସାରେ ସେମାନଙ୍କ ପ୍ରେମକୁ ବିରୋଧ କରାଯାଇଥିଲା । ତଥାପି ସେମାନେ ଏକା ସାଙ୍ଗରେ ରହିଥିବାରୁ ଦଣ୍ଡ ମିଳିଥିଲା ।
