Sat. Feb 21st, 2026

ନ୍ୟୁଜ ଡେକ୍ସ : ରାୟଗଡ଼ା ଜିଲ୍ଲାରେ ପୁଣିଥରେ ଜଣ୍ଡିସ୍ ଆତଙ୍କ ଖେଳିଯାଇଛି। ଇନ୍ଦିରା ନଗର, କସ୍ତୁରୀ ନଗର, ଅଶୋକ ନଗର ଓ କତୁରୁ ବସ୍ତି ଅଞ୍ଚଳରେ ଏକାଧିକ ଜଣ୍ଡିସ୍ ରୋଗୀ ଚିହ୍ନଟ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଚିନ୍ତା ବଢ଼ିଯାଇଛି। ଏକ ସପ୍ତାହ ମଧ୍ୟରେ ୧୨ଜଣ କିଶୋର–କିଶୋରୀ (ବୟସ ୧୧ରୁ ୧୭ ବର୍ଷ) ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି।

ପ୍ରଭାବିତ ପରିବାର ଲୋକମାନଙ୍କ କହିବାନୁସାରେ, ରୋଗର ଲକ୍ଷଣ ପ୍ରଥମେ ପ୍ରବଳ ଜ୍ୱର ହେବା, ପରେ ଆଖି ଓ ଚର୍ମ ହଳଦିଆ ହୋଇଯିବା ସହ ଶରୀର ଦୁର୍ବଳ ହୋଇପଡ଼ିବା ଦେଖାଯାଉଛି। ଦୂଷିତ ପାନୀୟ ଜଳ ଓ ଅସ୍ବାସ୍ଥ୍ୟକର ଖାଦ୍ୟ ସେବନ ଏହାର ପ୍ରମୁଖ କାରଣ ହୋଇଥିବା ସନ୍ଦେହ କରାଯାଉଛି।ଘଟଣା ଜଣାପଡ଼ିବା ସହ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ କାର୍ଯ୍ୟରତ ହୋଇ ଗାଁଗୁଡ଼ିକୁ ସ୍ବତନ୍ତ୍ର ଚିକିତ୍ସା ଟିମ୍ ପଠାଇଛି। ଆକ୍ରାନ୍ତମାନଙ୍କର ରକ୍ତ ନମୁନା ସହ ପିଇବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଏହା ସହିତ ଅଞ୍ଚଳରେ ଘରେଘରେ ଯାଇ ଲୋକଙ୍କୁ ସଫା–ସୁତରା, ଉବାଲି ପାଣି ପିବା ଓ ଖାଦ୍ୟ ସ୍ୱଚ୍ଛତା ନେଇ ସଚେତନ କରାଯାଉଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାୟଗଡ଼ା ଜିଲ୍ଲାରେ ମୋଟ ୨୨ ଜଣ ଜଣ୍ଡିସ୍ ଆକ୍ରାନ୍ତ ଚିହ୍ନଟ ହୋଇ ଚିକିତ୍ସାଧୀନ ଅଛନ୍ତି। ଗୁରୁତର ରୋଗୀମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ନିରନ୍ତର ନିରୀକ୍ଷଣରେ ରଖାଯାଇଛି।ପ୍ରଶାସନ ପକ୍ଷରୁ ଜଣ୍ଡିସ୍ ଆଉ ଛଡ଼ିବା ନ ଦେବାକୁ ସମସ୍ତ ପଦକ୍ଷେପ ନିଆଯାଉଥିବା ବେଳେ, ସ୍ଥାନୀୟ ଲୋକଙ୍କୁ ସଚେତନ ରହିବା, ସୁରକ୍ଷିତ ପାଣି ପିବା ଓ ରୋଗର ଲକ୍ଷଣ ଦେଖାଲେ ସତ୍ବର ଚିକିତ୍ସା ନେବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *