ନ୍ୟୁଜ ଡେକ୍ସ : ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦରେ ଅନୁଷ୍ଠିତ ମେଗା ରୋଡ୍ ସୋ ଓ ଓଡ଼ିଶା ନିବେଶକ ସମ୍ମିଳନୀରେ ରାୟଗଡ଼ା ଜିଲ୍ଲାରେ ଏକ ଏରୋସ୍ପେସ୍ ଓ ଡିଫେନ୍ସ ମେନୁଫ୍ୟାକ୍ଚରିଂ ଫାସିଲିଟି ସ୍ଥାପନା ପାଇଁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହୋଇଥିବା ଜଣାପଡ଼ିଛି। ଏହି ପ୍ରକଳ୍ପ ପ୍ରିମିୟର ଏକ୍ସପ୍ଲୋଜିଭ୍ ଲିମିଟେଡ୍ ପକ୍ଷରୁ ସ୍ଥାପିତ ହେବ।ଚୁକ୍ତି ସମୟରେ ପ୍ରିମିୟର ଏକ୍ସପ୍ଲୋଜିଭ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଟି.ଭି. ଚୌଧୁରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଉପସ୍ଥିତ ଥିଲେ।
ଏହା ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।ଏନେଇ ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଜ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ଡିଫେନ୍ସ ମେନୁଫ୍ୟାକ୍ଚରିଂ ଇକୋ-ସିଷ୍ଟମ ଅଧିକ ଦୃଢ଼ ହେବ।ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ତତ୍କାଳୀନ ଅବସରପ୍ରାପ୍ତ ବରିଷ୍ଠ ଆଇପିଓ ସବ୍ୟସାଚୀ ସାହୁ ଉପସ୍ଥିତ ରହି ପ୍ରକଳ୍ପ ସଂପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ଏହାସହ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି ଏରୋସ୍ପେସ୍ ଓ ଡିଫେନ୍ସ ମେନୁଫ୍ୟାକ୍ଚରିଂ ଫାସିଲିଟି ସ୍ଥାପନ ହେଲେ ରାୟଗଡ଼ା ସହ ସମଗ୍ର ଅଞ୍ଚଳରେ ବହୁ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସବ୍ୟସାଚୀ ସାହୁ ଆଶା ପ୍ରକାଶ କରିଛନ୍ତି।

