ନ୍ୟୁଜ ଡେକ୍ସ : ରୁଷ ଗଣରାଜ୍ୟ ବାଶକୋର୍ଟୋସ୍ତାନର ଉଫା ସହରରେ ଅବସ୍ଥିତ ଏକ ମେଡିକାଲ ବିଶ୍ୱବିଦ୍ୟାଳୟରେ ଘଟିଥିବା ଏକ ଭୟାନକ ଛୁରୀ ଆକ୍ରମଣ ଘଟଣା ସମଗ୍ର ଆନ୍ତର୍ଜାତିକ ମହଳରେ ଚିନ୍ତା ସୃଷ୍ଟି କରିଛି। ଏହି ଆକ୍ରମଣରେ ଚାରି ଜଣ ଭାରତୀୟ ଛାତ୍ରଙ୍କ ସହିତ ଅନେକ ଅନ୍ୟ ଛାତ୍ର ଓ କର୍ମଚାରୀ ଆହତ ହୋଇଥିବା ଖବର ମିଳିଛି। ଭାରତୀୟ ଦୂତାବାସ ଶନିବାର ରାତିରେ ଘଟଣାଟିକୁ ନିଶ୍ଚିତ କରି ସମସ୍ତ ଆହତ ଛାତ୍ରଙ୍କୁ ତତ୍କ୍ଷଣାତ୍ ଚିକିତ୍ସା ସୁବିଧା ଯୋଗାଇବା ବ୍ୟବସ୍ଥା କରାଇଛି।
ଭାରତୀୟ ଦୂତାବାସ ‘ଏକ୍ସ’ (ପୂର୍ବରୁ ଟ୍ୱିଟର) ମାଧ୍ୟମରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କହିଛି ଯେ ଉଫାରେ ଘଟିଥିବା ଏହି ଦୁର୍ଭାଗ୍ୟଜନକ ଆକ୍ରମଣରେ ୪ ଜଣ ଭାରତୀୟ ଛାତ୍ର ଆହତ ହୋଇଛନ୍ତି। ଦୂତାବାସ ରୁଷର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଲଗାତାର ସଂପର୍କରେ ରହିଥିବା ବେଳେ, କାଜାନରେ ଅବସ୍ଥିତ ଭାରତୀୟ କନସୁଲେଟର ଅଧିକାରୀମାନେ ମଧ୍ୟ ଉଫାକୁ ପହଞ୍ଚି ଆହତ ଛାତ୍ରମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇଛନ୍ତି।ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆକ୍ରମଣକାରୀ ଜଣକ ଏକ ନିଷିଦ୍ଧ ନୟୋ-ନାଜି ସଂଗଠନ ସହିତ ସଂପୃକ୍ତ ଥିବା ଆଶଙ୍କା କରାଯାଉଛି। ଆକ୍ରମଣ ସମୟରେ ସେ ଉଗ୍ର ଜାତୀୟତାବାଦୀ ସ୍ଲୋଗାନ ଦେଉଥିବା ମଧ୍ୟ ଖବର ମିଳିଛି। ଏହାକୁ ଗମ୍ଭୀର ଭାବେ ନେଇ ରୁଷର ତଦନ୍ତକାରୀ ସଂସ୍ଥାଗୁଡ଼ିକ ଘଟଣାର ସମସ୍ତ ପ୍ରାସଙ୍ଗିକ ଦିଗରୁ ତଦନ୍ତ ଆରମ୍ଭ କରିଛନ୍ତି।
ଘଟଣା ପରେ ମେଡିକାଲ ବିଶ୍ୱବିଦ୍ୟାଳୟ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ପାଇଁ ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଇଛି। ଏହି ଆକ୍ରମଣ ଘଟଣା ଆନ୍ତର୍ଜାତିକ ଛାତ୍ରମାନଙ୍କ ସୁରକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି।ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି ଯେ ଭାରତୀୟ ଛାତ୍ରଙ୍କ ସୁରକ୍ଷା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଉଛି। ଆହତ ଛାତ୍ରମାନଙ୍କର ଚିକିତ୍ସା ଓ ଅନ୍ୟାନ୍ୟ ସହାୟତା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ନିଆଯାଉଛି।

