ନ୍ୟୁଜ ଡେକ୍ସ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରି ଦେଶର ଖଣିଜ ସମ୍ପଦ, ଢଞ୍ଚାଗତ ବିକାଶ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରକୁ ନୂଆ ଦିଗ ଦେବା ଲକ୍ଷ୍ୟ ରଖିଥିବା ଘୋଷଣା କରିଛନ୍ତି। ଏହି ବଜେଟରେ ଓଡ଼ିଶାକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଇଥିବା ଦେଖିବାକୁ ମିଳିଛି।ଦେଶର ଖଣିଜ ସମ୍ପଦର ସଦୁପଯୋଗ ଏବଂ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ଉଦ୍ଦେଶ୍ୟରେ ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ସ୍ୱତନ୍ତ୍ର “ରେୟାର ଆର୍ଥ କରିଡର” ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।
୨୦୨୫ ନଭେମ୍ବରରେ ଆରମ୍ଭ ହୋଇଥିବା “ରେୟାର ଆର୍ଥ ପରମାନେଣ୍ଟ ମ୍ୟାଗ୍ନେଟ୍” ଯୋଜନାକୁ ଏହି ନୂତନ କରିଡର ଆହୁରି ସୁଦୃଢ଼ କରିବ। ଏହା ଦ୍ୱାରା ଉଚ୍ଚ ପ୍ରଯୁକ୍ତି ଉଦ୍ୟୋଗ, ବିଦ୍ୟୁତ୍ ଯାନ, ରକ୍ଷା ଓ ନବୀନ ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବାର ରାସ୍ତା ପ୍ରଶସ୍ତ ହେବ। ବଜେଟରେ ଓଡ଼ିଶା ପାଇଁ ଆଉ ଏକ ବଡ଼ ଘୋଷଣା ହେଉଛି ଜାତୀୟ ଜଳମାର୍ଗ–୫ (NW–5) ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ପରିବେଶ ସମ୍ମତ କାର୍ଗୋ ପରିବହନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଜଳମାର୍ଗ ମାଧ୍ୟମରେ ତାଳଚେର ଓ ଅନୁଗୋଳ ଭଳି ଖଣିଜ-ସମୃଦ୍ଧ ଅଞ୍ଚଳ, କଳିଙ୍ଗନଗର ଭଳି ଶିଳ୍ପ କେନ୍ଦ୍ରଗୁଡ଼ିକୁ ପାରାଦୀପ ଓ ଧାମରା ବନ୍ଦର ସହିତ ସଂଯୋଗ କରାଯିବ। ଏହା ଦ୍ୱାରା ରାଜ୍ୟର ଲଜିଷ୍ଟିକ୍ସ ଦକ୍ଷତା ବଢ଼ିବା ସହିତ ଶିଳ୍ପ ଓ ରପ୍ତାନି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ।
ଏହି ଘୋଷଣାକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଏକ୍ସ (ଟ୍ୱିଟର) ଖାତାରେ ପୋଷ୍ଟ କରି କେନ୍ଦ୍ର ସରକାର ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ NW–5 ଓଡ଼ିଶାର ଖଣିଜ, ଶିଳ୍ପ ଓ ବନ୍ଦର ମଧ୍ୟରେ ସଂଯୋଗକୁ ଶକ୍ତିଶାଳୀ କରି ରାଜ୍ୟର ଆର୍ଥିକ ଉନ୍ନତିକୁ ନୂଆ ଗତି ଦେବ।ସମଗ୍ରରେ ବଜେଟ୍ ୨୦୨୬–୨୭ ଓଡ଼ିଶାକୁ ଖଣିଜ, ଶିଳ୍ପ ଓ ଜଳପଥ ଆଧାରିତ ବିକାଶରେ ଏକ ନୂଆ ଅବସର ଦେଇଛି, ଯାହା ରାଜ୍ୟକୁ ଦେଶର ଆର୍ଥିକ ମାନଚିତ୍ରରେ ଆହୁରି ଶକ୍ତିଶାଳୀ କରିବ।

