ନ୍ୟୁଜ ଡେକ୍ସ:ଜୁନ୍ ୨୦ରେ ଭୁବନେଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ ରୋଡ୍ ଶୋ । ଏନେଇ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି । ୨୦ ତାରିଖ ଅପରାହ୍ନ ଟାରେ ବିମାନ ବନ୍ଦରରେ ପହଞ୍ଚିବେ ମୋଦି । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ । ସେଠରୁ ସେ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ ।
ଏନେଇ ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ କ୍ୟାବିନେଟ ମନ୍ତ୍ରୀଗଣ ଏବଂ ଜିଲ୍ଲା ସଭାପତିଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ବର୍ଷ ପୂର୍ତ୍ତି ସଭାରେ ଉପସ୍ଥିତ ହୋଇ ମାଝୀଙ୍କ ସରକାରର ସଫଳତା ବଖାଣିବେ। ରାଜ୍ୟ ସରକାର ଏବଂ ବିଜେପି ସଙ୍ଗଠନ ପକ୍ଷରୁ ଏକବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛନ୍ତି। ଏଥିପାଇଁ ଜନତା ମଇଦାନରେ ବ୍ୟାପକ ଭାବେ ପ୍ରସ୍ତୁତି ହୋଇଥିବା ବେଳେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ।
ଏହି କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ବିଭାଗର ରିପୋର୍ଟ କାର୍ଡ, ବିଷୟବସ୍ତୁ ଡକ୍ୟୁମେଣ୍ଟାରୀ, ମହିଳା ସଶକ୍ତୀକରଣ, ନିଯୁକ୍ତି, ଯୁବ ବିକାଶ, ଆଦିବାସୀ କଲ୍ୟାଣ ଏବଂ କୃଷକ ପାଇଁ ହୋଇଥିବା ଯୋଜନାଗୁଡ଼ିକ ପ୍ରଦର୍ଶିତ କରାଯିବ। ତେବେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ୨୦ ତାରିଖରେ ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟାଯିବ।
