Mon. Feb 23rd, 2026

ନ୍ୟୁଜ ଡେକ୍ସ : ଭାରତର ସୀମା ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଲଦାଖର ଶ୍ୟୋକ୍ ଟନେଲ୍‌ରୁ ସୀମା ସଡ଼କ ସଂଗଠନ (BRO) ଦ୍ୱାରା ନିର୍ମିତ ୧୨୫ଟି ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରି ସେଗୁଡ଼ିକୁ ଦେଶକୁ ଉତ୍ସର୍ଗ କରିଛନ୍ତି।

ଏହି ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୫,୦୦୦ କୋଟି ଟଙ୍କା।ଏହି ପ୍ରକଳ୍ପ ପ୍ୟାକେଜ୍‌ରେ ୦୭ଟି ରାଜ୍ୟ ଏବଂ ୦୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ୨୮ଟି ରାସ୍ତା, ୯୩ଟି ସେତୁ ଓ ୦୪ଟି ଅନ୍ୟାନ୍ୟ ରଣନୈତିକ ଭିତ୍ତିଭୂମି ପ୍ରକଳ୍ପ ସାମିଲ ରହିଛି। ଏହା ଲଦାଖ ଓ ଜମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ସହ ଅରୁଣାଚଳ ପ୍ରଦେଶ, ସିକିମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ମିଜୋରାମରେ ଅବସ୍ଥିତ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଉଚ୍ଚ ପାହାଡ଼, ତୁଷାରପାତପୂର୍ଣ୍ଣ, ମରୁଭୂମି ଓ ବନ୍ୟାପ୍ରବଣ ଅଞ୍ଚଳରେ ସୀମା ସଡ଼କ ସଂଗଠନର ଦୁର୍ହାଦ୍ୟ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଶକ୍ତିଶାଳୀ ଓ ଉନ୍ନତ ଭିତ୍ତିଭୂମି ସୈନ୍ୟ ଗତିବିଧିକୁ ଆହୁରି ଦ୍ରୁତ ଓ ସୁଦୃଢ଼ କରିବା ସହ ଦୂରଦୂରାନ୍ତରେ ରହୁଥିବା ସୀମାନ୍ତ ଅଞ୍ଚଳବାସୀଙ୍କ ଜୀବନଧାରାକୁ ମଧ୍ୟ ସହଜ କରିବ।୯୨୦ ମିଟର ଲମ୍ବା ଶ୍ୟୋକ୍ ସୁଡ଼ଙ୍ଗ ଭାରତର ଇଞ୍ଜିନିୟରିଂ ଓ ପ୍ରଯୁକ୍ତିବିଦ୍ୟା ଦକ୍ଷତାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ମଧ୍ୟ ସେ କହିଥିଲେ।

ଏହି ସୁଡ଼ଙ୍ଗ ଭୂସ୍ଖଳନ ଓ ହିମସ୍ଖଳନ ପ୍ରବଣ ଅଞ୍ଚଳ ମଧ୍ୟରୁ ନିରବଚ୍ଛିନ୍ନ ଭାବେ ସୈନ୍ୟ ଓ ସାଧାରଣ ଯାତାୟାତକୁ ସୁନିଶ୍ଚିତ କରିବ। ଉଦଘାଟନ ଅବସରରେ ରାଜନାଥ ସିଂହ କହିଥିଲେ, “ଆମ ସୈନିକମାନଙ୍କ ବୀରତ୍ୱ ଓ ସାହସ ଦେଶକୁ ସୁରକ୍ଷିତ ରଖୁଛି। ଆଜି ଯେଉଁ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଦେଶକୁ ଉତ୍ସର୍ଗ କରାଗଲା, ସେଗୁଡ଼ିକ ରାଷ୍ଟ୍ର ପକ୍ଷରୁ ଆମ ବୀର ଯୌଦ୍ଧାମାନଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି।”ପ୍ରତିରକ୍ଷା ମନ୍ତ୍ରୀ କଠୋର ପାଗ ପରିସ୍ଥିତି ଓ ଦୁର୍ଗମ ଭୂଖଣ୍ଡରେ କାର୍ଯ୍ୟରତ BRO ଯବାନମାନଙ୍କ ସମର୍ପଣ, ସାହସ ଓ ବୃତ୍ତିଗତତାକୁ ମଧ୍ୟ ସ୍ୱତନ୍ତ୍ର ଭାବେ ପ୍ରଶଂସା କରିଥିଲେ।

ଏହିବର୍ଷ ୭ ମଇ ୨୦୨୫ରେ BROର ୬୬ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ୫୦ଟି ଭିତ୍ତିଭୂମି ପ୍ରକଳ୍ପକୁ ଭର୍ଚୁଆଲ୍ ଭାବେ ଉଦଘାଟନ କରିଥିଲେ। ଗତ ଦୁଇ ବର୍ଷ ମଧ୍ୟରେ BRO ମୋଟ ୩୫୬ଟି ରଣନୈତିକ ଭିତ୍ତିଭୂମି ପ୍ରକଳ୍ପକୁ ଦେଶକୁ ଉତ୍ସର୍ଗ କରିଥିବା ଯାହା ଭାରତର ସୀମା ସୁରକ୍ଷା ଓ ରଣନୈତିକ ସମର୍ଥତାକୁ ଆହୁରି ମଜବୁତ କରିଛି।

Leave a Reply

Your email address will not be published. Required fields are marked *