ନ୍ୟୁଜ ଡେକ୍ସ : ଭାରତୀୟ ଡାକ ବିଭାଗ ଆର୍ଥିକ ଦୃଷ୍ଟିରୁ ଏବେ ନୂଆ ଉଚ୍ଚତାକୁ ଛୁଇଁଛି। ଚଳିତ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତିନି ଚଉଠରେ ଡାକ ବିଭାଗର ଲାଭ ୮.୨ ପ୍ରତିଶତ ବୃଦ୍ଧି ପାଇ ୧୦,୧୫୫ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବ ଆର୍ଥିକ ବର୍ଷର ଏହି ସମୟରେ ଏହି ଆକଡା ୯,୩୮୫ କୋଟି ଟଙ୍କା ଥିଲା।ଏହି ତଥ୍ୟ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଡାକ ବିଭାଗର ବ୍ୟବସାୟ ସମୀକ୍ଷା ବୈଠକ ପରେ ସାମ୍ବାଦିକମାନଙ୍କୁ ଜଣାଇଛନ୍ତି।
ସେ କହିଛନ୍ତି ଯେ, ସ୍ବଳ୍ପ ସଂଚୟ ଯୋଜନାରେ ଉତ୍ସାହଜନକ ବୃଦ୍ଧି ଡାକ ବିଭାଗର ଆୟକୁ ନୂଆ ଶକ୍ତି ଦେଇଛି।ମନ୍ତ୍ରୀ ଶ୍ରୀ ସିନ୍ଧିଆ ଆହୁରି କହିଛନ୍ତି ଯେ, ଏଭଳି ଧାରାବାହିକ ଉନ୍ନତି ଜାରି ରହିଲେ, ଆସନ୍ତା ତିନିରୁ ଚାରି ବର୍ଷ ମଧ୍ୟରେ ଭାରତୀୟ ଡାକ ଏକ ସମ୍ପୂର୍ଣ୍ଣ ଲାଭଜନକ ସଂସ୍ଥାରେ ପରିଣତ ହେବ।ସ୍ବଳ୍ପ ସଂଚୟ ଖାତାରେ ସର୍ବାଧିକ ଅବଦାନ କର୍ଣ୍ଣାଟକ ରାଜ୍ୟର ଥିବାବେଳେ, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଡାକ ବିଭାଗର ସମୁଦାୟ ରାଜସ୍ବ ୧୭,୫୪୬ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆଶା କରାଯାଉଛି।
ପୂର୍ବ ବର୍ଷରେ ଏହି ଆକଡା ୧୩,୨୪୦ କୋଟି ଟଙ୍କା ଥିଲା।ଡିଜିଟାଲ ସେବା, ଆର୍ଥିକ ଅନ୍ତର୍ଭୁକ୍ତି ଏବଂ ସଞ୍ଚୟ ଯୋଜନାର ସଫଳତା ଭାରତୀୟ ଡାକକୁ ଦେଶର ଏକ ଶକ୍ତିଶାଳୀ ଆର୍ଥିକ ସଂସ୍ଥାରେ ପରିଣତ କରୁଛି।

