Sun. Feb 22nd, 2026

ନ୍ୟୁଜ ଡେକ୍ସ : ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପରିସରର ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ପ୍ରଥମଥର ପାଇଁ ଲାଲକିଲ୍ଲା ମ୍ପ୍ଲେକ୍ସ ମଧ୍ୟରେ ସିସିଟିଭି କ୍ୟାମେରା ସ୍ଥାପନର ସିଦ୍ଧାନ୍ତ ନିଆଯାଇଛି। ଦୀର୍ଘ ସାତ ବର୍ଷ ଧରି ଐତିହାସିକ ସ୍ଥାପତ୍ୟକୁ କ୍ଷତି ପହଞ୍ଚିବା ଆଶଙ୍କାରେ ଏହି ପ୍ରସ୍ତାବକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ବିରୋଧ କରୁଥିଲା।

ତେବେ ୨୦୨୫ ନଭେମ୍ବର ୧୦ରେ ଲାଲକିଲ୍ଲା ନିକଟରେ ଘଟିଥିବା ଭୟାବହ ଆତଙ୍କବାଦୀ ଆକ୍ରମଣ ପରେ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି। ଏହି ଆକ୍ରମଣରେ ଅନେକ ନିର୍ଦୋଷ ଲୋକ ପ୍ରାଣ ହରାଇଥିବା ବେଳେ ଡଜନଡଜନ ଆହତ ହୋଇଥିଲେ। ଏହା ପରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏଏସ୍‌ଆଇ ନିଜର ପୂର୍ବ ଆପତ୍ତି ପ୍ରତ୍ୟାହାର କରିଛି। ଇଣ୍ଟେଲିଜେନ୍ସ ବ୍ୟୁରୋ, ଏଏସ୍‌ଆଇ, ଦିଲ୍ଲୀ ପୁଲିସ, ସିଆଇଏସ୍‌ଏଫ୍‌ ଏବଂ ଗୃହମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ଅନେକ ପର୍ଯ୍ୟାୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ୧୫୦ଟି ସିସିଟିଭି କ୍ୟାମେରା ସ୍ଥାପନ କରାଯିବ, ଯାହା ଲାଲକିଲ୍ଲା ପରିସରର ସମସ୍ତ ଅନ୍ଧାର ଓ ସମ୍ବେଦନଶୀଳ ସ୍ଥାନକୁ କଭର କରିବ। ଏହା ସହିତ ନିକଟସ୍ଥ ପାର୍କଗୁଡ଼ିକରେ ଉଚ୍ଚ-ମାଷ୍ଟ ଫ୍ଲଡ୍‌ଲାଇଟ ସ୍ଥାପନ କରାଯିବ।ଅଧିକାରୀମାନଙ୍କ କହିବା ଅନୁସାରେ, କାର୍ଯ୍ୟ ଶୀଘ୍ର ସମାପ୍ତ କରାଯିବ। ଏହି ପଦକ୍ଷେପ ମାଧ୍ୟମରେ ଲାଲକିଲ୍ଲା କେବଳ ଏକ ଐତିହାସିକ ସ୍ମାରକ ଭାବେ ନୁହେଁ, ବରଂ ଆଧୁନିକ ନିରୀକ୍ଷଣ ବ୍ୟବସ୍ଥା ସହ ସୁରକ୍ଷିତ ଐତିହ୍ୟ ସ୍ଥଳୀ ଭାବେ ମଧ୍ୟ ପରିଚିତ ହେବ।

Leave a Reply

Your email address will not be published. Required fields are marked *