Sat. Feb 21st, 2026

ନ୍ୟୁଜ ଡେକ୍ସ : ମହାଶିବରାତ୍ରୀ ଅବସରରେ ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମହାଦୀପ ଉଠାଯାଇଛି। ରାତି ସାଢେ ୧୦ଟାରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ଥିବାବେଳେ ରାତି ୮ଟା ୩୮ ମିନିଟରେ ମହାଦୀପ ଉଠିଥିଲା। ଏହାପରେ ହଜାର ହଜାର ଭକ୍ତ ମନ୍ଦିର ପରିସରରେ ଦୀପ ଜାଳି ବ୍ରତ ପାଳନ କରିଥିଲେ। ମହାଶିବରାତ୍ରୀ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ମନ୍ଦିରରେ ଭିଡ଼ କରିଥିଲେ।ସକାଳୁ ହିଁ ସେବାୟତ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ସେବାୟତଙ୍କ ପରିବାର ଲୋକଙ୍କୁ ମନ୍ଦିର ଭିତରକୁ ଯିବାରୁ ଅଟକାଇବାକୁ ନେଇ ଉତ୍ତେଜନା ବଢ଼ିଥିଲା। ଏହା ନେଇ ସେବାୟତ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି ଏବଂ ଜଣେ ଆହତ ହୋଇଥିବା ମଧ୍ୟ କୁହାଯାଉଛି।ଏହି ବିବାଦ ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଥିଲା। ମହାଦୀପ ଉଠିବା ପରେ ଭକ୍ତମାନେ ହଠାତ୍ ଦର୍ଶନ ପାଇଁ ମନ୍ଦିର ଭିତରକୁ ପଶିବାକୁ ଚେଷ୍ଟା କରିବାରୁ ପ୍ରବଳ ଠେଲାପେଲା ସୃଷ୍ଟି ହୋଇଥିଲା।

ସେବାୟତମାନେ ଭିଡ଼କୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ପରିସ୍ଥିତି ଆହୁରି ଉତ୍ତେଜିତ ହୋଇଯାଇଥିଲା। ପୋଲିସ ହସ୍ତକ୍ଷେପ କରି ଭିଡ଼କୁ ନିୟନ୍ତ୍ରଣ କରିଥିଲା। ଏହି ସମୟରେ କିଛି ଶ୍ରଦ୍ଧାଳୁ ତଳେ ପଡ଼ିଯାଇଥିବା ମଧ୍ୟ ସୂଚନା ମିଳିଛି। ପରବର୍ତ୍ତୀ ସମୟରେ ସେବାୟତ ଓ ପୋଲିସ ମଧ୍ୟରେ କାହିଁକି ଭକ୍ତମାନଙ୍କୁ ଭିତରକୁ ଛାଡ଼ାଯାଇଥିଲା ସେଥିପାଇଁ ଯୁକ୍ତିତର୍କ ହୋଇଥିବା ଖବର ମିଳିଛି।

Leave a Reply

Your email address will not be published. Required fields are marked *