ନ୍ୟୁଜ ଡେକ୍ସ : କାର୍ତ୍ତିକ ମାସ ପରି ପବିତ୍ର ଧର୍ମମାସରେ ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଦେଖା ଦେଇଥିଲା ମହାବିଭ୍ରାଟ। ପ୍ରାୟ ୨୪ ଘଣ୍ଟା ଧରି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଥିଲା। ସମର୍ଥା ନିଯୋଗ ସେବାୟତମାନେ ନିଜ ସେବା ରୋକିଦେଇଥିବାରୁ ମହାପ୍ରଭୁ ଖାଡା ଉପବାସରେ ଥିଲେ। ଏହାର ପରିଣାମରେ ହଜାର ହଜାର ହବିଷିଆଳି ଭକ୍ତ ପ୍ରଭୁଙ୍କ ପ୍ରସାଦ ପାଇପାରି ନଥିଲେ।
ଗତକାଲି ସକାଳ ସମୟରେ ସାହାଣ ମେଳା, ସୂର୍ଯ୍ୟ ପୂଜା ଓ ଦ୍ବାରପାଳ ପୂଜା ପରେ ସେବାୟତମାନେ ନୀତିକାନ୍ତି ବନ୍ଦ କରିଥିଲେ। ଏହା ଫଳରେ ମନ୍ଦିର ଭିତରେ ସମସ୍ତ ନୀତି ଅବରୋଧ ହୋଇପଡିଥିଲା।ତଥାପି, ଗୁରୁବାର ସକାଳୁ ପୁଣିଥରେ ମଙ୍ଗଳ ଆଳତୀ ଅବକାଶ ସମାପ୍ତ ହେବା ସହିତ ନୀତିକାନ୍ତି ସ୍ବାଭାବିକ ହୋଇଛି। କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସମର୍ଥା ସେବାୟତମାନେ ପୁଣି ସେବାରେ ଯୋଗଦେଇଛନ୍ତି।ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ଯେ ସମର୍ଥା ସେବାୟତମାନେ ଆଜିଠାରୁ ପୁଣି ସାଧାରଣ ଭାବେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନା ଅନୁସାରେ, ସମର୍ଥା ସେବାୟତଙ୍କ ନିଅଂଶ (ଯେଉଁ ପରିବାରରେ ଉତ୍ତରାଧିକାରୀ ନାହିଁ) ଦୁଇଦିନ – ବୁଧବାର ଓ ଗୁରୁବାର – ପାଳିରେ ଥିଲା। ସାଧାରଣତଃ ସେମାନେ ଆପସରେ ଆଲୋଚନା କରି ନିଅଂଶ ପାଳି ତୁଲୁଥିଲେ। କିନ୍ତୁ ଗତ ଅକ୍ଟୋବର ୪ ତାରିଖରେ ବିଏମସି ଓ ମନ୍ଦିର ପ୍ରଶାସନ ମିଳିତ ଭାବେ ସେମାନଙ୍କ କିଛି ଫୁଲ-ଦୀପ ଦୋକାନ ସିଂହଦ୍ୱାର ଆଗରୁ ଉଚ୍ଛେଦ କରିଥିଲେ। ସେହିଦିନଠାରୁ ସେବାୟତମାନେ ନୀତିରେ ସହଯୋଗ ନକରିବାକୁ ଚେତାବନୀ ଦେଇଥିଲେ।ଅବଶେଷରେ, ଏକ ଦିନର ବିବାଦ ଓ ଅସୁବିଧା ପରେ ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଥିବାରେ ଭକ୍ତମାନଙ୍କ ମଧ୍ୟରେ ହେଇଛି ଆନନ୍ଦର ଲହର।

