Sun. Feb 22nd, 2026

ନ୍ୟୁଜ ଡେକ୍ସ : ଭାରତର ପୂର୍ବତନ ମାନ୍ୟବର ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡୁ ବୁଧବାର ଦିନ ଲୋକଭବନ, ଭୁବନେଶ୍ୱର ପରିସରରେ ନୂତନ ଭାବେ ବିକଶିତ ପରିବେଶ ଉଦ୍ୟାନ ‘ଅଟଳ ବନ’ର ଉଦଘାଟନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଓ ରାଷ୍ଟ୍ର ନିର୍ମାଣରେ ତାଙ୍କର ଅବିସ୍ମରଣୀୟ ଅବଦାନକୁ ସମ୍ମାନ ଜଣାଇ ଏହି ଉଦ୍ୟାନକୁ ତାଙ୍କ ନାମରେ ନାମକରଣ କରାଯାଇଛି।

ଉଦଘାଟନୀ ସମାରୋହରେ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି, ରାଜ୍ୟର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟି, ବିଧାନସଭା ବାଚସ୍ପତି ସୁରମା ପାଢୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସ୍ଥାୟୀତ୍ୱକୁ ଗୁରୁତ୍ୱ ଦେଇ ବିକଶିତ ‘ଅଟଳ ବନ’ରେ ଖନନ ସମୟରେ ବାହାରିଥିବା ପଥରକୁ ପୁନଃବ୍ୟବହାର କରି ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି।

ଉଦ୍ୟାନରେ ସବୁଜିମା, ଜଳାଶୟ ଓ ଝରଣା ଭଳି ପରିବେଶ-ସହଯୋଗୀ ସଂରଚନା ଗଢ଼ାଯାଇଛି।ଅଟଳ ବନର ମୁଖ୍ୟ ଆକର୍ଷଣ ମଧ୍ୟରେ ରହିଛି ଏକ T-୫୫ ଯୁଦ୍ଧ ଟ୍ୟାଙ୍କ, ଯାହା ୧୯୭୧ ଯୁଦ୍ଧ ସହିତ ବିଭିନ୍ନ ସେନା ଅଭିଯାନରେ ଭାରତୀୟ ସେନାକୁ ଶକ୍ତିଶାଳୀ କରିଥିଲା। ସେହିପରି ରାଫେଲ ବହୁମୁଖୀ ଲଢ଼ୁଆ ବିମାନର ଏକ ପ୍ରୋଟୋଟାଇପ୍‌ ମଧ୍ୟ ପ୍ରଦର୍ଶିତ କରାଯାଇଛି। ‘ୱେଷ୍ଟ ଟୁ ୱେଲଥ’ ମିଶନ ଅଧୀନରେ ଅଟୋମୋବାଇଲ୍ ସ୍କ୍ରାପ୍‌ ଓ ଜିଆଇ ସିଟ୍‌ରୁ ନିର୍ମିତ ଏହି ମଡେଲ୍‌ଟି ୧୫ ଫୁଟ ଲମ୍ବା, ୪ ଫୁଟ ୬ ଇଞ୍ଚ ଉଚ୍ଚ ଓ ୯ ଫୁଟ ୧୧ ଇଞ୍ଚ ଡେଣା ବିଶିଷ୍ଟ। ଲୋକଭବନର ଅନୁରୋଧ କ୍ରମେ ଭୁବନେଶ୍ୱର ସରକାରୀ ପଲିଟେକ୍ନିକ୍ ଟିମ୍‌ ଏହାକୁ ଡିଜାଇନ୍‌ ଓ ନିର୍ମାଣ କରିଥିଲେ।

ଉଦଘାଟନ ଅବସରରେ ନାଇଡୁ ଅଟଳ ବିହାରୀ ବାଜପେୟୀଙ୍କ ସହ ନିଜ ଦୀର୍ଘ ସମ୍ପର୍କକୁ ସ୍ମରଣ କରି କହିଥିଲେ ଯେ, ଛାତ୍ରଜୀବନରେ ପ୍ରଥମେ ସେ ବାଜପେୟୀଙ୍କୁ ଭେଟିଥିଲେ ଏବଂ ପରେ ତାଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଭଳି ପଦକ୍ଷେପ ଗ୍ରାମୀଣ ସଂଯୋଗୀକରଣକୁ ନୂଆ ଦିଗ ଦେଇଥିବା ଓ ଆର୍ଥିକ ଅଭିବୃଦ୍ଧିକୁ ସୁଦୃଢ଼ କରିଥିବା ସେ ଉଲ୍ଲେଖ କରିଥିଲେ।T-୫୫ ଟ୍ୟାଙ୍କ ଓ ରାଫେଲ ବିମାନ ପ୍ରତିକୃତି ଭଳି ପ୍ରତିରକ୍ଷା ପ୍ରଦର୍ଶନ ବିଷୟରେ ନାଇଡୁ କହିଥିଲେ ଯେ, ସାମରିକ ଶକ୍ତି ପ୍ରଦର୍ଶନ ଭାରତର ଶାନ୍ତି ପ୍ରତି ପ୍ରତିବଦ୍ଧତାର ପ୍ରତୀକ, ଯାହା ପ୍ରଗତି ଓ ବିକାଶର ମୂଳ ଆଧାର ହୋଇ ରହିଛି।

Leave a Reply

Your email address will not be published. Required fields are marked *