ନ୍ୟୁଜ ଡେକ୍ସ : ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ସୁମନ କୁମାର ବେରୀ ଆଜି ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।
ଏହି ବୈଠକରେ ଓଡ଼ିଶାର ସାମଗ୍ରିକ ଆର୍ଥିକ ବିକାଶ, ଶିଳ୍ପ ଓ ନିବେଶ ପ୍ରୋତ୍ସାହନ, ଇଜ୍ ଅଫ୍ ଡୁଇଂ ବିଜିନେସ, ଭିତ୍ତିଭୂମି ଓ ଢାଞ୍ଚାଗତ ବିକାଶ, ଶକ୍ତି କ୍ଷେତ୍ର, ସହରାଞ୍ଚଳ ଉନ୍ନତି, ବିଜ୍ଞାନ ଓ ପ୍ରଯୁକ୍ତି, ଶିକ୍ଷା, ଜନଜାତି କଲ୍ୟାଣ ଏବଂ ସାମାଜିକ କ୍ଷେତ୍ର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଗଭୀର ଆଲୋଚନା ହୋଇଥିଲା।‘ବିକଶିତ ଓଡ଼ିଶା ୨୦୩୬’ ଓ ‘ବିକଶିତ ଭାରତ ୨୦୪୭’ ଦୃଷ୍ଟିକୋଣକୁ ସାକାର କରିବା ପାଇଁ ଓଡ଼ିଶା ଭିଜନର କାର୍ଯ୍ୟକାରିତା ଉପରେ ବିଶେଷ ଭାବରେ ଚର୍ଚ୍ଚା ହୋଇଥିଲା। ଏଥିରେ ରାଜ୍ୟର ଆଗାମୀ ଦଶକର ଉନ୍ନୟନ ରୋଡମ୍ୟାପ୍, ନୀତିଗତ ସୁଧାର ଓ ନବୀନ ପଦକ୍ଷେପ ବିଷୟରେ ମଧ୍ୟ ମତ ବିନିମୟ ହୋଇଥିଲା।
ନୀତି ଆୟୋଗର ସଦସ୍ୟ ଡଃ ଅରବିନ୍ଦ ଭିରମାନୀଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।ବୈଠକ ଶେଷରେ ଶ୍ରୀ ସୁମନ କୁମାର ବେରୀ ଓଡ଼ିଶାର ଉନ୍ନୟନ ଉଦ୍ୟମକୁ ପ୍ରଶଂସା କରି ରାଜ୍ୟ ସରକାରଙ୍କ ସହ ନୀତି ଆୟୋଗ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକ ଓଡ଼ିଶାର ଭବିଷ୍ୟତ ଉନ୍ନତି ପାଇଁ ଏକ ନୂତନ ଦିଗ ଦର୍ଶାଇବ ବୋଲି ଆଶା କରାଯାଉଛି।

