ନ୍ୟୁଜ ଡେକ୍ସ : ଲୋକସେବା ଭବନରେ ଗୁରୁବାର ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବାଙ୍ଗା ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟର ଦୀର୍ଘକାଳୀନ ବିକାଶ, ଆର୍ଥିକ ସଂସ୍କାର ଏବଂ ସ୍ଥାୟୀ ଅଭିବୃଦ୍ଧିକୁ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ଯୁବପିଢ଼ିଙ୍କୁ ଘରୋଇ କ୍ଷେତ୍ରର ଚାକିରି ପାଇଁ ଦକ୍ଷତା ଯୋଗାଇବା, ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା, ସାମାଜିକ କ୍ଷେତ୍ରର ଉନ୍ନତି ଆଣିବା ଓ ପ୍ରଯୁକ୍ତିଭିତ୍ତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ଯୁବପିଢ଼ି ଓ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାକୁ ଦୁହିଁ ପକ୍ଷ ଏକମତ ହୋଇଥିଲେ।ବିଶ୍ୱ ବ୍ୟାଙ୍କର ପ୍ରତିନିଧି ଦଳ ଓଡ଼ିଶାର ବର୍ତ୍ତମାନର ବିକାଶ ପ୍ରକ୍ରିୟା ଏବଂ ସଂସ୍କାରମୂଳକ ଆଭିମୁଖ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଘରୋଇ କ୍ଷେତ୍ରରେ ରାଜ୍ୟର ଯୁବପିଢ଼ି ପାଇଁ ସୃଷ୍ଟି ହେଉଥିବା ନୂଆ ନିଯୁକ୍ତି ସୁଯୋଗ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ବିଶ୍ୱ ବ୍ୟାଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବାଙ୍ଗାଙ୍କୁ ‘ଓଡ଼ିଶା ଭିଜନ୍ ଡକ୍ୟୁମେଣ୍ଟ’ ପ୍ରଦାନ କରିଥିଲେ।
ଏହି ଡକ୍ୟୁମେଣ୍ଟରେ ଆଗାମୀ ବର୍ଷଗୁଡ଼ିକ ପାଇଁ ରାଜ୍ୟର ବିକାଶ ରୋଡମ୍ୟାପ୍ ସହ ‘ବିକଶିତ ଓଡ଼ିଶା’ ଗଠନର ପରିକଳ୍ପନା ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି।ଏହି ବୈଠକରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ ଓ ବିଶ୍ୱ ବ୍ୟାଙ୍କର ଅନ୍ୟାନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ବୈଠକକୁ ଓଡ଼ିଶାର ଆଗାମୀ ବିକାଶ ଯାତ୍ରା ପାଇଁ ଏକ ମାଇଲ୍ସ୍ଟୋନ୍ ଭାବେ ଦେଖାଯାଉଛି।

