Sat. Feb 21st, 2026

ନ୍ୟୁଜ ଡେକ୍ସ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ବୈଠକରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼, ସମାବେଶୀ ଓ ଲୋକମୁଖୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀ ଓ ସଚିବମାନଙ୍କୁ କ୍ଷେତ୍ର ପରିଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟସ୍ଥଳ ବୁଲି ଦେଖିବା ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସଠିକ୍ ଉନ୍ନତି ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ରାଜ୍ୟରେ ନର୍ସିଂ କ୍ଷେତ୍ରରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ନର୍ସିଂ ଛାତ୍ରମାନଙ୍କୁ ଅତିରିକ୍ତ ପ୍ରଶିକ୍ଷଣ, ସ୍ନାତକମାନଙ୍କର କୌଶଳର ଗୁଣାତ୍ମକ ବୃଦ୍ଧି, ପାଠ୍ୟକ୍ରମରେ ପରିବର୍ତ୍ତନ ଓ ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଣାଳୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିଶେଷ ଆଲୋଚନା କରିଥିଲେ। ଓଡ଼ିଶାରେ ନର୍ସିଂ ଓ ମିଡ୍ ୱାଇଫେରୀ କ୍ଷେତ୍ରରେ ସୁଧାର ନିମନ୍ତେ ମଧ୍ୟ ବିସ୍ତୃତ ଚର୍ଚ୍ଚା ହୋଇଥିଲା। ମେଡିକାଲ ଶିକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସିଟ୍ ବୃଦ୍ଧି ଓ SCB ମେଡିକାଲ କଲେଜ, MKCG ଓ VIMSAR ଭଳି ଅନୁଷ୍ଠାନଗୁଡ଼ିକରେ ସୁପର୍ ସ୍ପେସିଆଲିଟି ସେବାକୁ ଆହୁରି ବ୍ୟାପକ ଓ ଦକ୍ଷ କରିବାକୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ABDM)ର ରାଜ୍ୟସ୍ତରୀୟ କାର୍ଯ୍ୟାନ୍ୱୟନ ପାଇଁ ବୈଠକରେ ପ୍ରସ୍ତାବ ରଖାଯାଇଥିଲା। ସେଥିସହ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ ବର୍ଷିଆ DNB ଡିପ୍ଲୋମା ଡାକ୍ତରମାନଙ୍କୁ ନିଯୁକ୍ତି ଦେବା ବିଷୟରେ ଆଲୋଚନା ହୋଇଥିଲା।ଓଡ଼ିଶାରେ ଆୟୁଷ ଡାକ୍ତରମାନଙ୍କ ସେବାକୁ ଅଗ୍ରାଧିକାର ଦେବା ସହ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଗୁଡ଼ିକରେ ଆୟୁର୍ବେଦିକ ଓ ହୋମିଓପାଥି ଔଷଧର ଉପଲବ୍ଧତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ଏହା ସହ SCB ମେଡିକାଲ କଲେଜ, କଟକରେ ଟ୍ରମା କେୟାର ନିର୍ମାଣର ଅଗ୍ରଗତି ଓ ଭିତ୍ତିଭୂମି ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ବତୀ ଏସ୍., ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଡ. ବୃନ୍ଦା ଡି ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *