Sun. Feb 22nd, 2026

ନ୍ୟୁଜ ଡେକ୍ସ: ରଣକ୍ଷେତ୍ର ପାଲଟିଲା ରାଜଧାନୀର ଗାନ୍ଧି ମାର୍ଗ । ଆନ୍ଦୋଳନ ବେଳେ ଉଗ୍ର ରୂପ ଦେଖାଇଥିଲେ ଆନ୍ଦୋଳନକାରୀ । ପୋଲିସ ଉପରକୁ ଫିଙ୍ଗିଲେ ଚେୟାର । ପାଣି ବୋତଲ ସହ ଅଣ୍ଡା,ଟମାଟୋ ପଥର ମାଡ କଲେ । ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ଦଳର ତୁଙ୍ଗ ନେତାଙ୍କୁ ଉଠାଇ ନେଇଛି ପୋଲିସ ।

ସଂଘର୍ଷ ବେଳେ ୧୨ ପୋଲିସ କର୍ମୀ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଉତ୍ୟକ୍ତ କଂଗ୍ରେସ କର୍ମୀମାନେ ଗୋଟିଏ ଗାଡ଼ି ପୋଡ଼ିବାକୁ ଉଦ୍ୟମ କରିଥିଲେ ମାତ୍ର ଡ୍ରାଇଭରଙ୍କ ଯୋଗୁଁ ଏପରି କରିପାରିନଥିଲେ । ତେବେ ଏନେଇ ତଦନ୍ତ କରାଯିବ । ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବାରୁ କିଛି କର୍ମୀମାନଙ୍କୁ ଉଠାଇ ନେଇଛି ପୋଲିସ । ବର୍ତ୍ତମାନ ସ୍ଥିତି ଆୟତ୍ତ ଥିବା ବେଳେ ସିସିଟିଭି ଆଧାରରେ ଏବେ ଯାଞ୍ଚ ଚାଲିଛି ବୋଲି କହିଛନ୍ତି ଭୁବନେଶ୍ଵର ଡିସିପି ଜଗମୋହନ ମୀନା । ଗୁରୁବାର ସକାଳୁ ଲୋୟର ପିଏମ୍ଜିରେ କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ସୃଷ୍ଟି କରିଥିଲା ଅଭାବନୀୟ ସ୍ଥିତି । ନାରୀ ସୁରକ୍ଷା ପ୍ରସଙ୍ଗରେ ବିଧାନସଭା ଘେରାଉ ପାଇଁ ବାହାରିଥିଲେ ଶହ ଶହ ଆନ୍ଦୋଳନକାରୀ । ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରଥମେ ଧସ୍ତାଧସ୍ତି ହୋଇଥିଲା ।

ପୋଲିସର ସୁରକ୍ଷା ବଳୟ ଭାଙ୍ଗି ବିଧାନସଭା ଅଭିମୁଖେ ମାଡି ଚାଲିଥିଲେ କଂଗ୍ରେସ କର୍ମୀ । ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା । ଏତିକି ବେଳେ କଂଗ୍ରେସ କର୍ମୀ ପୋଲିସ ଉପରକୁ ଚେୟାର ମାଡ କରିଥିଲେ । କେବଳ ସେତିକି ନୁହେଁ ଟେକା ପଥର, ଅଣ୍ଡା,ଟମାଟୋ,ପାଣି ବୋତଲ ଫିଙ୍ଗିଥିଲେ । କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ପ୍ରଥମେ ପାଣି ଓ ଟିୟର ଗ୍ୟାସ ମାଡ କରିଥିଲା ପୋଲିସ । ହେଲେ ସ୍ଥିତି ନିୟନ୍ତ୍ରଣ ହୋଇନଥିଲା । ଶେଷରେ ବାଧ୍ୟ ହୋଇ ପୋଲିସ ଲାଠି ଚାର୍ଜ କରିଥିଲା । ଆନ୍ଦୋଳନକାରୀ କଂଗ୍ରେସ କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟିଥିଲା ପୋଲିସ । ଶେଷରେ ଆନ୍ଦୋଳନର ନେତୃତ୍ବ ନେଉଥିବା ପିସିସି ସଭାପତି ଭକ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି, ମହମ୍ମଦ ମୋକିମଙ୍କ ସହ ଅନ୍ୟ କିଛି ନେତାଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇ ନେଇଥିଲା ପୋଲିସ ।

Leave a Reply

Your email address will not be published. Required fields are marked *