ନ୍ୟୁଜ ଡେକ୍ସ :ସାରା ଦେଶରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ‘ଏକତା ବର୍ଷ’ ପାଳନ ହେଉଥିବା ବେଳେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାଲେଶ୍ୱର ଜିଲ୍ଲାର ନୀଳଗିରିଠାରେ ଆୟୋଜିତ ଏକତା ପଦଯାତ୍ରାର ଉଦଘାଟନ କଲେ। ଏହି ପଦଯାତ୍ରା ନୀଳଗିରିରୁ ମିତ୍ରପୁର ପର୍ଯ୍ୟନ୍ତ ପ୍ରାୟ ୯ କି.ମି. ଅବଧି ଜୁଡ଼ି ଆୟୋଜିତ ହୋଇଥିଲା।
ଏହି ଐତିହାସିକ ପଦଯାତ୍ରାରେ ସାହସ୍ରାଧିକ ଛାତ୍ରଛାତ୍ରୀ, ଯୁବବର୍ଗ, ଜନସାଧାରଣ ଓ ସରକାରୀ ଅଧିକାରୀମାନେ ଭାଗ ନେଇଥିଲେ। ଛାତ୍ରଛାତ୍ରୀମାନେ ୧୦୦ ଫୁଟ୍ ବିଶିଷ୍ଟ ତ୍ରିରଙ୍ଗା ପତାକା ଧାରଣ କରି ଦେଶଭକ୍ତିର ସନ୍ଦେଶ ଦେଇଥିଲେ।ପଦଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀଳଗିରିର ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ ପରେ ପୋଲିସ ପଡ଼ିଆ ଠାରେ ଆୟୋଜିତ “ସ୍ୱାଧୀନତା ସଂଗ୍ରାମରେ ବାଲେଶ୍ୱରର ଭୂମିକା” ଓ “ସର୍ଦ୍ଦାର ପଟେଲଙ୍କ ଜୀବନୀ” ଶୀର୍ଷକ ଫଟୋ ପ୍ରଦର୍ଶନୀ ଦେଖିଥିଲେ। ଏହି ଅବସରରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଏକତା ପଦଯାତ୍ରା କେବଳ ଏକ ସାଧାରଣ ପଦଯାତ୍ରା ନୁହେଁ, ଏହା ଭାରତୀୟତାର ପ୍ରତୀକ, ଦେଶକୁ ଏକ ରଖିବା ପାଇଁ ସାଧାରଣ ନାଗରିକଙ୍କ କର୍ତ୍ତବ୍ୟର ପ୍ରତୀକ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଯେଉଁ ମାଟିରେ ଆମେ ଛିଡା ହୋଇଛେ, ନୀଳଗିରି, ଏହା କେବଳ ଏକ ଭୌଗଳିକ ସ୍ଥାନ ନୁହେଁ, ଏହା ହେଉଛି ଜନଶକ୍ତି ଓ ଲୋକତନ୍ତ୍ରର ସ୍ପନ୍ଦନ। ନୀଳଗିରି ପ୍ରଜା ଆନ୍ଦୋଳନ, ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଏକ ଅଦ୍ଵିତୀୟ ଅଧ୍ୟାୟ, ଯାହା ଶୋଷଣ ବିରୋଧରେ, ଅନ୍ୟାୟ ବିରୋଧରେ, ଏବଂ ଅଧିକାର ପାଇଁ ପ୍ରଜାଙ୍କ ମିଳିତ ସ୍ୱରର ‘ଏକତା’ ର ଗାଥା କୁହେ। ବ୍ରିଟିଶ ବିରୋଧୀ ଆନ୍ଦୋଳନର ପ୍ରଭାବରେ, ନୀଳଗିରିରେ ସ୍ଥାନୀୟ ଯୁବକ, କୃଷକ, ଶ୍ରମିକ, ଶିକ୍ଷିତ ଲୋକେ ଏକତାବଦ୍ଧ ହୋଇଥିଲେ ।ନୀଳଗିରି ପ୍ରଜା ଆନ୍ଦୋଳନର ପରିଣାମ କେବଳ ରାଜ୍ୟ ଅଧିକାର ନୁହେଁ, ପ୍ରଜାଙ୍କ ଆତ୍ମସମ୍ମାନ, ମର୍ଯ୍ୟାଦା ଏବଂ ଲୋକତନ୍ତ୍ରୀୟ ଚେତନାର ବିଜୟ ଥିଲା।
ଏହି ଆନ୍ଦୋଳନ ପ୍ରମାଣ କରିଥିଲା ଯେ, ପ୍ରଜା ଯଦି ଏକତାବଦ୍ଧ ହୁଅନ୍ତି, କୌଣସି ଅତ୍ୟାଚାରୀ ଶକ୍ତି ତାଙ୍କୁ ଦମନ କରିପାରେନି। ଆଜିର ଏହି ଗଣ ପଦଯାତ୍ରା ଆମକୁ ସେହି ‘ଭିନ୍ନତାରେ ଏକତାର’ ସନ୍ଦେଶ ଦେଉଛି। ଜାତି, ଧର୍ମ, ଭାଷା, ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ। ଏହି ଏକତା ହେଉଛି ଆମର ଶକ୍ତି, ଆମର ପରିଚୟ ବୋଲି ସେ କହିଥିଲେ।

