ନ୍ୟୁଜ ଡେକ୍ସ : ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ଆଜି ଏକ ବଡ଼ ଆଇନଗତ ଝଟକା ଲାଗିଛି। ଦିଲ୍ଲୀର ଏକ ବିଶେଷ ଅଦାଲତ ‘ଲ୍ୟାଣ୍ଡ ଫର ଜବ’ ଘୋଟାଳା ମାମଲାରେ ଲାଲୁ ଯାଦବ, ତାଙ୍କ ପରିବାର ସଦସ୍ୟ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବାକୁ ଆଦେଶ ଦେଇଛନ୍ତି।କୋର୍ଟ କହିଛନ୍ତି ଯେ, ପ୍ରାଥମିକ ପର୍ଯ୍ୟାୟରେ ମିଳିଥିବା ପ୍ରମାଣଗୁଡ଼ିକ ଲାଲୁ ଯାଦବ ଏବଂ ତାଙ୍କ ପରିବାର ବିରୋଧରେ ଗଭୀର ଷଡ଼ଯନ୍ତ୍ରର ସୂଚନା ଦେଉଛି।
ତାଙ୍କ ନିକଟତମ ସହଯୋଗୀମାନେ ରେଳରେ ଚାକିରି ଦେବା ପରିବର୍ତ୍ତେ ଜମି ଅଧିଗ୍ରହଣ କରିବା ପ୍ରକ୍ରିୟାରେ ସହ-ଷଡ଼ଯନ୍ତ୍ରକାରୀ ଭାବରେ ଜଡିତ ଥିବା ଅଭିଯୋଗ ରହିଛି।ଏହି ମାମଲାରେ ଲାଲୁ ପରିବାର ଦାଖଲ କରିଥିବା ଡିସଚାର୍ଜ ଆବେଦନକୁ କୋର୍ଟ ଖାରଜ କରି ମନ୍ତବ୍ୟ ଦେଇଛନ୍ତି ଯେ, ମାମଲାରେ ପଦବୀର ଦୁରୁପଯୋଗ ଏବଂ ସୁଯୋଜିତ ଦୁର୍ନୀତିର ସ୍ପଷ୍ଟ ସଙ୍କେତ ମିଳୁଛି।କୋର୍ଟର ଆଦେଶ ଅନୁସାରେ, ମୋଟ ୪୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମୁକଦ୍ଦମା ଚାଲିବ।
ତେବେ, ପ୍ରମାଣ ଅଭାବରୁ ୫୨ ଜଣ ଅନ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଡିସଚାର୍ଜ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ସରକାରୀ କ୍ଷମତାର ସ୍ୱେଚ୍ଛାଚାରୀ ଦୁରୁପଯୋଗ କରି ଚାକିରି ବଣ୍ଟନ ହୋଇଥିବା ଏବଂ ବଦଳରେ ଜମି ନିଆଯାଇଥିବା ଅଭିଯୋଗକୁ ଏହି ପର୍ଯ୍ୟାୟରେ ଅସ୍ୱୀକାର କରାଯାଇପାରିବ ନାହିଁ। ମାମଲା ଏବେ ମୁକଦ୍ଦମା ପର୍ଯ୍ୟାୟକୁ ପ୍ରବେଶ କରିଥିବାରୁ ଆଗାମୀ ଦିନରେ ଲାଲୁ ପରିବାରଙ୍କ ଆଇନଗତ ସମସ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି।

