ନ୍ୟୁଜ ଡେକ୍ସ :ଚୀନ୍ ତାହାର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବା ଦିଗରେ ଏକ ଇତିହାସିକ ମାଇଲଖୁଣ୍ଟ ସୃଷ୍ଟି କରିଛି। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଉପସ୍ଥିତିରେ ଚୀନ୍ ନୌସେନାରେ ତାହାର ସବୁଠାରୁ ଉନ୍ନତ ବିମାନ ବାହକ ‘ଫୁଜିଆନ’କୁ ଆନୁଷ୍ଠାନିକ ଭାବରେ ସାମିଲ କରାଯାଇଛି। ଏହି ଉତ୍କ୍ଷେପଣ କେବଳ ଚୀନ୍ ନୌସେନା ପାଇଁ ନୁହେଁ, ବରଂ ବିଶ୍ୱ ରଣନୈତିକ ଶକ୍ତି ସନ୍ତୁଳନ ପାଇଁ ଏକ ସିଧା ଚ୍ୟାଲେଞ୍ଜ ଭାବରେ ଦେଖାଯାଉଛି।
ଫୁଜିଆନ୍କୁ ଚୀନ୍ ଇତିହାସର ସବୁଠାରୁ ଉନ୍ନତ ଏବଂ ଆଧୁନିକ ବିମାନ ବାହକ ଭାବରେ ବିବେଚନା କରାଯାଇଛି। ଏହି ଯୁଦ୍ଧଜାହାଜ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ କାଟାପଲ୍ଟ ସିଷ୍ଟମ (EMALS) ସହିତ ସଜ୍ଜିତ, ଯାହା ପୂର୍ବରୁ କେବଳ ଆମେରିକା ଭଳି ଦେଶ ଦ୍ୱାରା ବ୍ୟବହୃତ ହେଉଥିଲା। ଏହି ପ୍ରଯୁକ୍ତି ଯୁଦ୍ଧ ବିମାନଗୁଡ଼ିକୁ ଅଧିକ ଦ୍ରୁତ ଏବଂ ସଠିକ୍ ଭାବରେ ଆକାଶକୁ ପଠାଇବାକୁ ସମର୍ଥ କରେ।ଚୀନ୍ର ପୂର୍ବତନ ବିମାନ ବାହକ ଲିଆଓନିଂ ଏବଂ ଶାଣ୍ଡୋଙ୍ଗ୍ ରୁଷିଆ ଡିଜାଇନ୍ ଉପରେ ଆଧାରିତ ଥିଲେ; କିନ୍ତୁ ଫୁଜିଆନ୍ ପୂରାପୂରି ଭାବରେ ଚୀନ୍ରେ ଡିଜାଇନ୍ ଏବଂ ନିର୍ମିତ ଯାହା ‘ମେଡ୍ ଇନ୍ ଚାଇନା’ ସାମରିକ କ୍ଷମତାର ପ୍ରତିକ୍।
ଏହି ନୂତନ ବାହକ ଚୀନ୍ର ତୃତୀୟ ଏବଂ ସବୁଠାରୁ ଶକ୍ତିଶାଳୀ ବିମାନ ବାହକ। ଏହା ନୌସେନା ରଣନୀତିରେ ଏକ ମୂଲଭୂତ ପରିବର୍ତ୍ତନ ଆଣିବା ସହିତ, ଚୀନ୍କୁ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଆହୁରି ବିସ୍ତୃତ ଉପସ୍ଥିତି ଦେଇଛି। ଏହା ମାଧ୍ୟମରେ ଚୀନ୍ ଏବେ ଗୁଆମ୍, ଜାପାନ ଓ ତାଇୱାନ ଅଞ୍ଚଳରେ ନୌସେନା ଶକ୍ତି ପ୍ରଦର୍ଶନ କରିପାରିବ।ଏହା ନିଶ୍ଚିତ ଭାବରେ ଆମେରିକାର ନୌସେନା ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିଛି।
ତାଇୱାନ ପ୍ରଣାଳୀ ଏବଂ ଦକ୍ଷିଣ ଚୀନ ସାଗର ଅଞ୍ଚଳରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏହି ଉତ୍କ୍ଷେପଣ ଆମେରିକା ଓ ଏହାର ମିତ୍ର ଦେଶମାନଙ୍କୁ ସିଧା ବାର୍ତ୍ତା ପଠାଇଛି ଯେ — ଚୀନ୍ ଏବେ ଆଞ୍ଚଳିକ ନୁହେଁ, ବରଂ ବିଶ୍ୱସ୍ତରୀୟ ସାମୁଦ୍ରିକ ଶକ୍ତି ଭାବେ ଉଭୁକୁଛି।ଜାପାନ, ଦକ୍ଷିଣ କୋରିଆ ଓ ଭିଏତନାମ ଭଳି ଦେଶମାନେ ଚୀନ୍ର ଏହି ନୂତନ ବିକାଶକୁ ନେଇ ଆଶଙ୍କା ଜଣାଇଛନ୍ତି। ରଣନୀତିଜ୍ଞମାନଙ୍କ ମତ ଅନୁଯାୟୀ, ଫୁଜିଆନ୍ ନିଶ୍ଚିତ ଭାବରେ ଏସିଆ ଓ ପ୍ରଶାନ୍ତ ମହାସାଗରର ସାମରିକ ଗଣିତକୁ ପରିବର୍ତ୍ତନ କରିଦେବ।

