Sat. Feb 28th, 2026

ନ୍ୟୁଜ ଡେକ୍ସ :ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହା ସହ ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟ ତୀବ୍ର ଭାବେ ନାପସନ୍ଦ କରିଛନ୍ତି। ଏହି ରାୟ ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଝଟକା ଭାବେ ଦେଖାଯାଉଛି।ସୂଚନା ଅନୁସାରେ, ରାଜ୍ୟ ସରକାର ଗତ କିଛିଦିନ ତଳେ ସାଂସଦ ଓ ବିଧାୟକଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ୧୫ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସୁପାରିସ କରିବାର କ୍ଷମତା ଦେଇଥିଲେ।

ଏହା ଆଧାରରେ ବଦଳି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ନିର୍ଦ୍ଦେଶ ଜାରି ହୋଇଥିଲା।ହେଲେ ଏହି ନିର୍ଦ୍ଦେଶନାମାକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି ପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଗତକାଲି ରାୟ ପ୍ରକାଶ କରି ହାଇକୋର୍ଟ ସପ୍ଷ୍ଟ କରିଛନ୍ତି ଯେ, ଏପରି ବ୍ୟବସ୍ଥା ଦ୍ୱାରା ଶିକ୍ଷା କ୍ଷେତ୍ରରେ ସିଧାସଳଖ ରାଜନୈତିକ ହସ୍ତକ୍ଷେପ ବଢ଼ିବ, ଯାହା ସାର୍ବଜନୀନ ହିତର ବିରୋଧୀ। ହାଇକୋର୍ଟ କହିଛନ୍ତି ଯେ, ଶିକ୍ଷା ବ୍ୟବସ୍ଥାକୁ ରାଜନୈତିକ ମୁକ୍ତ, ସୂଚାରୁ ଓ ପାରଦର୍ଶୀ ଭାବେ ପରିଚାଳନା କରାଯିବା ଆବଶ୍ୟକ।

ଶିକ୍ଷକମାନଙ୍କ ବଦଳି ପ୍ରକ୍ରିୟାରେ ରାଜନୈତିକ ସୁପାରିସକୁ ଗୁରୁତ୍ୱ ଦେବା ଦ୍ୱାରା ଶିକ୍ଷାର ଗୁଣମାନ ଉପରେ ଖରାପ ପ୍ରଭାବ ପଡ଼ିବ ବୋଲି ମଧ୍ୟ ଆଦାଲତ ମତ ପ୍ରକାଶ କରିଛନ୍ତି।ହାଇକୋର୍ଟଙ୍କ ଏହି ରାୟ ପରେ ରାଜ୍ୟର ଶିକ୍ଷା ବିଭାଗ ଓ ପ୍ରଶାସନୀୟ ସ୍ତରରେ ଚର୍ଚ୍ଚା ତୀବ୍ର ହୋଇଥିବାବେଳେ, ଶିକ୍ଷକ ସଂଗଠନ ଓ ବୁଦ୍ଧିଜୀବୀ ମହଳ ଏହାକୁ ସ୍ୱାଗତ କରିଛନ୍ତି। ସେମାନଙ୍କ ମତରେ, ଏହି ରାୟ ଶିକ୍ଷାକୁ ରାଜନୀତି ମୁକ୍ତ ରଖିବାରେ ଏକ ଐତିହାସିକ ପଦକ୍ଷେପ।

Leave a Reply

Your email address will not be published. Required fields are marked *