ନ୍ୟୁଜ ଡେକ୍ସ : କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଶିରିବେଡା ପିଏମଶ୍ରୀ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ୪୧ ଜଣ ଅନ୍ତେବାସୀ ହଠାତ୍ ପେଟ ବ୍ୟଥାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଘଟଣାରେ ୩୫ ଜଣ ଅନ୍ତେବାସୀଙ୍କୁ ତତ୍କାଳ ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି।ସୂଚନା ଅନୁସାରେ, ହଷ୍ଟେଲରେ ଥିବା ପିଲାମାନେ ରାତ୍ରି ଭୋଜନ ପରେ ଶୋଇବାକୁ ଯାଇଥିଲେ।
ରାତି ପ୍ରାୟ ୯ଟା ୩୦ ମିନିଟ୍ ସମୟରେ କିଛି ପିଲାଙ୍କୁ ହଠାତ୍ ପେଟ ବ୍ୟଥା ଆରମ୍ଭ ହେବା ସହିତ ସେମାନେ ରୋଷେୟାଙ୍କୁ ଏହା ସୂଚନା ଦେଇଥିଲେ। କ୍ରମେ ହଷ୍ଟେଲର ଅଧିକାଂଶ ପିଲାଙ୍କୁ ପେଟ ବ୍ୟଥା ହେଉଥିବା ଜଣାପଡ଼ିଥିଲା।ଘଟଣାର ଗୁରୁତ୍ୱ ବୁଝି ପ୍ରଧାନଶିକ୍ଷକ କୁଳମଣି ଜେନା ତତ୍କାଳ ତିନୋଟି ବୋଲେରୋ ଗାଡ଼ି ମାଧ୍ୟମରେ ୩୫ ଜଣ ଅନ୍ତେବାସୀଙ୍କୁ ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି କରିଥିଲେ।
ବୈପାରିଗୁଡା ଏବଂ ରାମଗିରି ଡ଼ାକ୍ତରୀ ଦଳ ଶିରିବେଡା ପିଏମଶ୍ରୀ ବିଦ୍ୟାଳୟ ହଷ୍ଟେଲରେ ପହଞ୍ଚି ବାକି ୬ ଜଣ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡ଼ିଛି।ଘଟଣା ସମ୍ପର୍କରେ ଡ଼ାକ୍ତରମାନଙ୍କୁ ପଚାରିବାରୁ, ପ୍ରାଥମିକ ପରୀକ୍ଷା ପରେ ହିଁ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସେମାନେ କହିଛନ୍ତି। ଖାଦ୍ୟ ବିଷାକ୍ତତା ଆଶଙ୍କା କରାଯାଉଥିଲେ ମଧ୍ୟ ତଦନ୍ତ ପରେ ନିଶ୍ଚିତ ତଥ୍ୟ ମିଳିବ ବୋଲି ଜଣାପଡ଼ିଛି।

