Wed. Feb 25th, 2026

ନ୍ୟୁଜ ଡେକ୍ସ :ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାର୍ଶ୍ୱରେ ଧଉଳି ଥାନା ଅଧୀନ ଶିଶୁପାଳଗଡ଼ ଅଞ୍ଚଳରେ ଥିବା ଏକ ସୁପରମାର୍ଟରେ ଗତକାଲି ରାତି ସାଢେ ୧୦ଟାରେ ଲାଗିଥିବା ଭୟଙ୍କର ନିଆଁ ୨୨ ଘଣ୍ଟା ପରେ ନିୟନ୍ତ୍ରଣକୁ ଆସିଛି। ଚାରିମହଲା ବିଶିଷ୍ଟ ଏହି ବିଶାଳ ବ୍ୟବସାୟିକ କୋଠାର ତୃତୀୟ ମହଲାରୁ ନିଆଁ ଆରମ୍ଭ ହୋଇ ଦେଖିଦେଖି ଚତୁର୍ଥ ମହଲାକୁ ବ୍ୟାପିଯାଇଥିଲା। ପ୍ଲାଷ୍ଟିକ, କାଚ ଓ ଷ୍ଟିଲ ସାମଗ୍ରୀ ମଜୁତ ଥିବାରୁ ନିଆଁ ଅତ୍ୟନ୍ତ ତୀବ୍ର ଆକାର ଧାରଣ କରିଥିଲା।

ଅଗ୍ନିଶମ ବିଭାଗର ୧୫ଟି ଦମକଳ ଗାଡ଼ି ଓ ଶତାଧିକ ଅଗ୍ନିକ ରାତିଦିନ ଅନିଦ୍ରା ରହି ନିଆଁ ଲିଭାଇବାରେ ଲାଗିଥିଲେ। ପ୍ରଥମେ ମୁଖ୍ୟ ପ୍ରବେଶ ପଥ ଦେଇ ପାଣି ପକାଇ ନିଆଁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନଥିଲା। ଗୋଟିଏ ପଟେ ନିଆଁ ଲିଭାଇବାକୁ ଉଦ୍ୟମ ହେଉଥିବା ବେଳେ ଆଉ ଗୋଟିଏ ପଟେ ନିଆଁ ହୁତୁହୁତୁ ହୋଇ ଜଳୁଥିଲା। ନିଆଁର ଧାସ ଏତେ ତୀବ୍ର ଥିଲା ଯେ ଅଗ୍ନିକମାନେ ଭିତରକୁ ପ୍ରବେଶ କରିପାରୁନଥିଲେ। ପରିସ୍ଥିତି ଗମ୍ଭୀର ହେବାରୁ ହାଇଡ୍ରା ସହାୟତାରେ ତୃତୀୟ ଓ ଚତୁର୍ଥ ମହଲାର କାନ୍ଥ ଭଙ୍ଗାଯାଇଥିଲା। ବ୍ରଣ୍ଟ ସ୍କାଏଲିଫ୍ଟ କ୍ୟାବିନ୍‌ରେ ୩ ଜଣ କର୍ମଚାରୀ ପାଇପ ଧରି ପାଣି ସ୍ପ୍ରେ କରିଥିଲେ। ଏହା ସହିତ ରୋବୋଟ୍‌ ମଧ୍ୟ ବ୍ୟବହାର କରାଯାଇଥିଲା। ଲିଫ୍ଟ ବ୍ୟବସ୍ଥା ନଥିବାରୁ ରୋବୋଟ୍‌କୁ ସିଢ଼ି ଚଢ଼ାଇ ରିମୋଟ୍‌ ମାଧ୍ୟମରେ ଚାଲୁ କରାଯାଇଥିଲା। କିନ୍ତୁ କାନ୍ଥର କଂକ୍ରିଟ ଖସି ପଡ଼ିବାରୁ ରୋବୋଟ୍‌ ନଷ୍ଟ ହୋଇଯାଇଥିଲା।

ଦମକଳ ଗାଡ଼ିର ପାଣି ସରିଯାଇଥିବାରୁ ଲିଙ୍ଗିପୁର କେନାଲ୍‌ ରୋଡ଼ ନିକଟସ୍ଥ ହ୍ୟାଚେରି ପୋଖରୀରୁ ମୋଟର ଲଗାଇ ପାଣି ଆଣାଯାଇଥିଲା। ଗୋଟିଏ ପୋଖରୀ ପୂରା ଶୁଖିଯାଇଥିଲେ ମଧ୍ୟ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନଥିଲା। ଅପରାହ୍ନ ୩ଟା ପରେ ଧୀରେ ଧୀରେ ନିଆଁର ପ୍ରକୋପ କମିଥିଲେ ମଧ୍ୟ ଅପରେସନ୍‌ ଜାରି ରହିଛି।ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୦ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ପାଉଁଶ ହୋଇଯାଇଥିବା ଅନୁମାନ। ସୁପରମାର୍ଟର ମୁଖ୍ୟ ପ୍ରବେଶ ପଥ ବ୍ୟତୀତ ଅନ୍ୟ କୌଣସି ପ୍ରବେଶ-ପ୍ରସ୍ଥାନ ବ୍ୟବସ୍ଥା ନଥିବାରୁ ନିଆଁ ଲିଭାଇବାରେ ବାଧା ସୃଷ୍ଟି ହୋଇଥିଲା।

ଘଟଣାସ୍ଥଳରେ ସୁପରମାର୍ଟର ମାଲିକ ସୁବାସ ଚନ୍ଦ୍ର ଜଗତି, ତାଙ୍କ ପତ୍ନୀ ଉର୍ମିଳା ଜଗତି ଓ ଭଉଣୀ ନିର୍ମଳା ସହ ପରିବାରବର୍ଗ ଉପସ୍ଥିତ ଥିଲେ। ଆଖିଆଗରେ କଷ୍ଟାର୍ଜିତ ବହୁକୋଟିର ବ୍ୟବସାୟ ପ୍ରତିଷ୍ଠାନ ଜଳିଯାଉଥିବା ଦେଖି ପରିବାରବର୍ଗ ଭାଙ୍ଗିପଡ଼ିଥିଲେ। ମାଲିକ ସୁବାସ ଚନ୍ଦ୍ର ଜଗତି ମଧ୍ୟ ଚେତାଶୂନ୍ୟ ହୋଇପଡ଼ିଥିବା ସୂଚନା ମିଳିଛି। ସଂପର୍କୀୟ ଓ ଶୁଭେଚ୍ଛୁମାନେ ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ।

Leave a Reply

Your email address will not be published. Required fields are marked *