Sun. Feb 22nd, 2026

ନ୍ୟୁଜ ଡେକ୍ସ : ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବା ପରେ ଏକ ଭିନ୍ନ ଓ ରୋଚକ ରାଜନୈତିକ ଦୃଶ୍ୟ ସାମ୍ନାକୁ ଆସିଛି। ଅଧିବେଶନ ସମାପ୍ତି ପରେ ଶାସକ ଓ ବିରୋଧୀ ଦଳର ନେତାମାନେ ଏକାଠି ବସି ଆଲୋଚନା କରିବା ସହ ଚା ପିଇଥିବା ଦୃଶ୍ୟ ଦେଖାଯାଇଛି, ଯାହା ସାଧାରଣ ଲୋକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି।

ଲୋକସଭା ବାଚସ୍ପତି ଓମ୍ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଶାସକ ଓ ବିରୋଧୀ ଦଳର ତମାମ ସାଂସଦମାନେ ଗୋଟିଏ ସ୍ଥାନରେ ଏକାଠି ବସି ଚା ପିଉଥିବା ଦେଖାଯାଇଥିଲା। ରାଜନୈତିକ ମତଭେଦ ଥିଲେ ମଧ୍ୟ ଏଭଳି ଏକାଠି ଦୃଶ୍ୟ ସଂସଦୀୟ ଗଣତନ୍ତ୍ରର ଏକ ସକାରାତ୍ମକ ପରିଚୟ ବୋଲି ଚର୍ଚ୍ଚା ହେଉଛି।ସୂଚନା ଅନୁସାରେ, ସଂସଦୀୟ ଅଧିବେଶନ ସମାପ୍ତି ପରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଶାସକ ଓ ବିରୋଧୀ ଦଳକୁ ନିମନ୍ତ୍ରଣ କରି ଚା ପାର୍ଟି ଆୟୋଜନ କରିବାର ଏକ ପରମ୍ପରା ରହିଛି। ଏହାକୁ ସଂସଦୀୟ ଗଣତନ୍ତ୍ରରେ ଆଲୋଚନା, ସମନ୍ୱୟ ଓ ସହଯୋଗର ପ୍ରତୀକ ଭାବେ ଦେଖାଯାଏ। ଏହି ଚା ପେ ଚର୍ଚ୍ଚାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ, କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ଲଲ୍ଲନ ସିଂହ, କିରଣ ରିଜିଜୁ, ଅର୍ଜୁନ ରାମ ମେଘୱାଲଙ୍କ ସହ ଏନସିପି (ଏସପି) ସାଂସଦ ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟି ସାଂସଦ ରାଜୀବ ରାୟ ଓ ଧର୍ମେନ୍ଦ୍ର ଯାଦବ, ଡିଏମକେ ସାଂସଦ ଏ. ରାଜାଙ୍କ ସମେତ ଅନେକ ପ୍ରମୁଖ ନେତା ଉପସ୍ଥିତ ଥିଲେ।

ଅନୌପଚାରିକ ଏହି ମୁହୂର୍ତ୍ତରେ ସଂସଦର କାର୍ଯ୍ୟକାରିତା, ଅଧିବେଶନର କାର୍ଯ୍ୟଧାରା ଓ ଲୋକତାନ୍ତ୍ରିକ ପରମ୍ପରା ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହି ସମୟର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଶାସକ ଓ ବିରୋଧୀଙ୍କ ମଧ୍ୟରେ ସମନ୍ୱୟର ଏହି ଦୃଶ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *