Fri. Feb 27th, 2026

ନ୍ୟୁଜ ଡେକ୍ସ : ଶୀତର ଆଗମନ ସହିତ ଓଡ଼ିଶା ଉପକୂଳ ଏବେ ବିଦେଶୀ ଅତିଥି ଅଲିଭ ରିଡ୍ଲେ କଇଁଛଙ୍କ ପାଇଁ ଚଳଚଞ୍ଚଳ ହୋଇଉଠିଛି। ବର୍ତ୍ତମାନ କଇଁଛଙ୍କର ମିଳନ ଋତୁ ଚାଲିଥିବାବେଳେ ଗଭୀର ସମୁଦ୍ର ମଧ୍ୟରୁ ଅଲିଭ ରିଡ୍ଲେ କଇଁଛଙ୍କର ଏକ ଏକ୍ସକ୍ଲୁସିଭ୍ ଭିଡିଓ ସାମ୍ନାକୁ ଆସିଛି, ଯାହା ପ୍ରକୃତିପ୍ରେମୀ ଓ ବନ୍ୟଜନ୍ତୁ ପ୍ରେମୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି କରିଛି।ହଜାର ହଜାର ମାଇଲ ଦୂର ଅତିକ୍ରମ କରି ଏହି ବିରଳ ପ୍ରଜାତିର କଇଁଛମାନେ ପ୍ରତିବର୍ଷ ବଂଶବୃଦ୍ଧି ପାଇଁ ଓଡ଼ିଶାର ଗହୀରମଥା ଓ ଋଷିକୁଲ୍ୟା ଭଳି ଉପକୂଳ ଅଞ୍ଚଳକୁ ଆସିଥାନ୍ତି।

ଏହି ସମୟରେ ସେମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବନବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।ସମୁଦ୍ର ମଧ୍ୟରେ କଇଁଛଙ୍କର ମିଳନ ପ୍ରକ୍ରିୟା ଚାଲିଥିବାରୁ ମାଛଧରାଉପରେ କଡ଼ା କଟକଣା ଜାରି କରାଯାଇଛି। ବିଶେଷକରି ଯାନ୍ତ୍ରିକ ଡଙ୍ଗା ଓ ଟ୍ରଲର ଚଳାଚଳ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି। ଟ୍ରଲର ମାଡ଼ରେ ଅନେକ ସମୟରେ କଇଁଛଙ୍କର ମୃତ୍ୟୁ ଘଟୁଥିବାରୁ ଏହି କଟକଣା ଲଗାଯାଇଛି। ଅଲିଭ ରିଡ୍ଲେଙ୍କ ପ୍ରଜନନ ସମୟରେ ସ୍ଥାନୀୟ ଉପକୂଳ ଅଞ୍ଚଳକୁ ‘ହାଇ ସିକ୍ୟୁରିଟି ଜୋନ୍’ ବା ଉଚ୍ଚ ସୁରକ୍ଷା ବଳୟ ଭାବେ ଘୋଷଣା କରାଯାଇଛି। ବନବିଭାଗର ସ୍ୱତନ୍ତ୍ର ଟିମ୍ ଦିନରାତି ସମୁଦ୍ରରେ ପାଟ୍ରୋଲିଂ କରୁଥିବାବେଳେ ବେଆଇନ ମାଛଧରାକୁ ରୋକିବା ପାଇଁ କଡ଼ା ନଜର ରଖାଯାଇଛି।

ଏନେଇ ଚିଲିକା ଡିଏଫଓ ଅମ୍ଳାନ ନାୟକ ସୂଚନା ଦେଇ କହିଛନ୍ତି ଯେ, କଇଁଛମାନେ କିପରି ସୁରକ୍ଷିତ ଭାବରେ ପ୍ରଜନନ କରିପାରିବେ ସେ ନେଇ ବନବିଭାଗ ସମ୍ପୂର୍ଣ୍ଣ ସଜାଗ ଅଛି।ସେ କହିଛନ୍ତି, ଆଗାମୀ କିଛି ଦିନ ପରେ ମିଳନ ପ୍ରକ୍ରିୟା ଶେଷ ହେଲେ ଲକ୍ଷ ଲକ୍ଷ କଇଁଛ ସମୂହ ଅଣ୍ଡାଦାନ ପାଇଁ ସମୁଦ୍ର ବେଳାଭୂମିକୁ ଉଠିଆସିବେ। ସେହି ସମୟରେ ଅଣ୍ଡାରୁ ଛୋଟ ଛୋଟ କଇଁଛ ସୁଅ ଛୁଟିବ। ତେଣୁ ସେମାନଙ୍କ ସୁରକ୍ଷିତ ଆଗମନ, ଅଣ୍ଡାଦାନ ଓ ସୁଅ ଛୁଟିବା ପ୍ରକ୍ରିୟାକୁ ସୁରକ୍ଷିତ କରିବା ପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି।

Leave a Reply

Your email address will not be published. Required fields are marked *