Sun. Feb 22nd, 2026

ନ୍ୟୁଜ ଡେକ୍ସ : ଓଡ଼ିଶାରେ ଶୀତ ଏବେ ତାହାର ସର୍ବୋଚ୍ଚ ସ୍ତରକୁ ପହଞ୍ଚିଛି। ପ୍ରଚଣ୍ଡ ଥଣ୍ଡାରେ ଉପକୂଳ ଅଞ୍ଚଳ ସହ ଉପାନ୍ତ ଜିଲ୍ଲା ମଧ୍ୟ ଥରିଉଠୁଛି। ରାଜ୍ୟର ଅନେକ ସ୍ଥାନରେ ପାରଦ ଅସାଧାରଣ ଭାବେ ତଳକୁ ଖସିଥିବା ବେଳେ, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନେକ ଜିଲ୍ଲା ପାଇଁ ‘କୋଲ୍ଡ ୱେଭ୍’ ସତର୍କ ସୂଚନା ଜାରି କରାଯାଇଛି।ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଭାବେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଚିହ୍ନଟ ହୋଇଛି।

ଏଠାରେ ଆଜି ସର୍ବନିମ୍ନ ତାପମାତ୍ରା ଶୂନ୍ୟ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଥିବା ବେଳେ, ଝାରସୁଗୁଡ଼ାରେ ପାରଦ ୬.୨ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି।ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଶୀତର ଅସର ସ୍ପଷ୍ଟ। ସକାଳ ୫ଟା ୩୦ରେ ପାରଦ ୧୦ ଡିଗ୍ରୀକୁ ଛୁଇଁଥିବା ବେଳେ, ଆଜି ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି, ଯାହା ଗତ ୪ ଦିନ ମଧ୍ୟରେ ସବୁଠାରୁ କମ୍।

ଜଗତସିଂହପୁର, କଟକ, ବାଲେଶ୍ୱର, ଖୋର୍ଦ୍ଧା, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ସୋନପୁର, ନବରଙ୍ଗପୁର ଓ କୋରାପୁଟ ଭଳି ଜିଲ୍ଲାରେ ଶୀତ ଲହରୀ ଅଧିକ ଅନୁଭୂତ ହେଉଛି। ଶୀତ ସହ ଘନ କୁହୁଡ଼ି ଜନଜୀବନକୁ ଆହୁରି ଅସ୍ତବ୍ୟସ୍ତ କରିଦେଇଛି। ନୟାଗଡ଼, ବୌଦ୍ଧ, କଟକ ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଆଗାମୀ କିଛି ଦିନ ପାଇଁ ଅନେକ ସ୍ଥାନରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ, ଜାନୁଆରୀ ମଧ୍ୟଭାଗ ପୂର୍ବରୁ ଶୀତ କମିବାର ସମ୍ଭାବନା କମ୍ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *