ନ୍ୟୁଜ ଡେକ୍ସ: ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲ୍ୱନ କରାଯାଇଛି। ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ଦଇତାପତି ସେବକ ଏବଂ ଦଇତା ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି। ରାମକୃଷ୍ଣଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଲମ୍ବନ କରିଛନ୍ତି । ଶ୍ରୀମନ୍ଦିର ଗରିମା ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ଦର୍ଶାଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।
ରାମକୃଷ୍ଣଙ୍କୁ ୩୦ ଦିନ ପାଇଁ ମହାପ୍ରଭୁଙ୍କ ସେବା ତଥା ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଛି । ଏଥି ସହିତ ଶ୍ରୀ ଦାସମହାପାତ୍ରଙ୍କୁ ନିଲମ୍ବନ ଆଦେଶ ଜରିଆରେ ସ୍ପଷ୍ଟ କରାଯାଇଛି ଯେ, ନିଲମ୍ବନ ଅବଧି ସମୟରେ ଦଇତାପତି କିମ୍ବା ଅନ୍ୟ ନିଯୋଗର କୌଣସି ସେବକଙ୍କୁ ତଥା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସେ ପ୍ରଲୋଭିତ କିମ୍ବା ଧମକଚମକ କରି ଶ୍ରୀମନ୍ଦିରର କୌଣସି ସେବାପୂଜା ବା ନୀତିକାନ୍ତିରେ ବାଧକ ସାଜିବେ ନାହିଁ। ଏପରି କଲେ, ନିଲମ୍ବନ ଅବଧିକୁ ବର୍ଦ୍ଧିତ କରାଯାଇ ଆହୁରି କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର କମାଣ୍ଡର ତଥା ବରିଷ୍ଠ ସୁପରଭାଇଜର ନିୟମିତ ଭାବେ ଶ୍ରୀ ଦାସମହାପାତ୍ରଙ୍କ ଆଚାର ବ୍ୟବହାର ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କରିବେ।
ନିଲମ୍ବନ ତଥା ପରବର୍ତ୍ତୀ ସମୟରେ ଶ୍ରୀ ଦାସମହାପାତ୍ରଙ୍କ ବିଶୃଙ୍ଖଳ ଆଚରଣ ପରିଲକ୍ଷିତ ହେଲେ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାପ୍ୟ/ ପାଉଣା/ ପୁରସ୍କାର ରଦ୍ଦ କରାଯିବ ବା ସ୍ଥଗିତ ରଖାଯିବ ବୋଲି ମଧ୍ଯ ଆଦେଶରେ କୁହାଯାଇଛି । କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ଦାସମହାପାତ୍ରଙ୍କୁ ଦୁଇଟି ନୋଟିସ୍ ହୋଇଥିଲା । ପ୍ରଥମେ ତା ୦୪.୦୫.୨୦୨୫ର କୈଫିୟତ ନୋଟିସ୍ ଜରିଆରେ ସାତ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଥିଲା ।
ସେହି ନୋଟିସରେ ଶ୍ରୀଦାସମହାପାତ୍ର “କେଉଁ ପରିସ୍ଥିତିରେ ଶ୍ରୀମନ୍ଦିର ପରମ୍ପରା ବିରୋଧୀ କାର୍ଯ୍ୟ କରି ନବକଳେବର ସଂଗୃହିତ ବଳକା ଦାରୁ ନିର୍ମିତ ବିଗ୍ରହ ଦୀଘା ମନ୍ଦିରରେ ପ୍ରତିଷ୍ଠା ହୋଇଛି ବୋଲି ବୟାନ ଦେଇ ସାରା ବିଶ୍ବର ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଧାର୍ମିକ ବିଶ୍ବାସକୁ କୁଠାରାଘାତ କଲେ, ଏବଂ ଏଭଳି ଦାୟିତ୍ବହୀନ ମନ୍ତବ୍ୟ ଦେଇ କାହିଁକି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପୂର୍ବକ ଶ୍ରୀମନ୍ଦିରର ଗରିମା ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ କଲେ,” ସେ ନେଇ ଉତ୍ତର ରଖିବାକୁ କୁହାଯାଇଥିଲା ।
