Sat. Feb 21st, 2026

ନ୍ୟୁଜ ଡେକ୍ସ : ବ୍ରହ୍ମାଣ୍ଡ ନାୟକ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଆନୁଷ୍ଠାନିକ ଭାବେ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ତିନିଟି ରଥ ନିର୍ମାଣ ପାଇଁ ବିଧିମୁତାବକ ପ୍ରଥମ କାଠପୂଜା କରାଯାଇଛି।ରାଜନଅର ପକ୍ଷରୁ ଗଜପତି ମହାରାଜଙ୍କ ପ୍ରତିନିଧି ଭାବେ ଦେବୀପ୍ରସାଦ ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣମାନଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା।

ପଞ୍ଚାମୃତ, ଚନ୍ଦନ, ସିନ୍ଦୂର, ଫୁଲ, ଶ୍ରୀଫଳ ଓ ମହାପ୍ରସାଦ ଅର୍ପଣ କରାଯାଇଥିଲା। ରଥ ନିର୍ମାଣ ସୃଜନୀ କାର୍ଯ୍ୟ ଆରମ୍ଭ ହେବାରୁ ମା’ ବାଗଦେବୀଙ୍କୁ ଆବାହନ କରାଯାଇ ବରୁଣ ପୂଜା ସହ ମହାପ୍ରଭୁଙ୍କ ଶୁଭ ଯାତ୍ରା ପାଇଁ ପ୍ରାର୍ଥନା କରାଯାଇଥିଲା। ପୂଜା, ଆଳତି ଓ ପୁଷ୍ପାଞ୍ଜଳି ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍ପି ପ୍ରତୀକ ସିଂହ, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ରଥ ସଂହିତା ଅନୁଯାୟୀ ତିନି ରଥ ନିର୍ମାଣ ପାଇଁ ୪୨୬ ଖଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାଶି ଓ ୩ ଖଣ୍ଡ ଶିମିଳି ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ହୁଏ। ଗତବର୍ଷର ୪୭ ଖଣ୍ଡ କାଠ ବଳି ପଡ଼ିଥିବାରୁ ଚଳିତବର୍ଷ ୮୧୮ ଖଣ୍ଡ ରଥ କାଠ ମଗାଯାଇଛି।ପ୍ରଥମ ପର୍ଯ୍ୟାୟରେ ୮୩ ଖଣ୍ଡ ଧଉରା ଓ ଅସନ କାଠ ନୟାଗଡ଼ ଦଶପଲ୍ଲା ରେଞ୍ଜରୁ ପହଞ୍ଚି ସାରିଛି। ପର୍ଯ୍ୟାୟକ୍ରମେ ବାକି କାଠ ଆସିବା ପରେ ପବିତ୍ର ରାମନବମୀରେ ରଥକାଠ ଚିରଟ ଏବଂ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ।ମହାପ୍ରଭୁଙ୍କ ଘୋଷଯାତ୍ରା ନିର୍ବିଘ୍ନରେ ସମ୍ପନ୍ନ ହେବାକୁ ପ୍ରଶାସନ ଓ ସେବାୟତମାନେ ସମୂହ ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *