ନ୍ୟୁଜ ଡେକ୍ସ : ଆଜି ପବିତ୍ର ବସନ୍ତ ପଞ୍ଚମୀ, ଯାହାକୁ ଶ୍ରୀପଞ୍ଚମୀ ଓ ମା’ ସରସ୍ୱତୀ ପୂଜା ଭାବେ ସାରା ରାଜ୍ୟରେ ଭକ୍ତି ଓ ଆନନ୍ଦର ସହିତ ପାଳନ କରାଯାଉଛି। ଏହି ପବିତ୍ର ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରଥମ ଧାର୍ମିକ ପର୍ବ ରଥକାଠ ଅନୁକୂଳ ବିଧିମତେ ଆରମ୍ଭ ହୋଇଛି।
ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଦଶପଲ୍ଲା ବନାଞ୍ଚଳରୁ ଆଣାଯାଇଥିବା କାଠ ଆଜି ପୁରୀ ବଡ଼ଦାଣ୍ଡ ସ୍ଥିତ ରଥଖଳାରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୮୩ ଖଣ୍ଡ କାଠ ରଥଖଳାକୁ ଆସିଥିବାବେଳେ, ତାହାମଧ୍ୟରେ ୪୦ ଖଣ୍ଡ ଅସନ ଏବଂ ୪୩ ଖଣ୍ଡ ଧଉରା କାଠ ରହିଛି। ସମ୍ପୂର୍ଣ୍ଣ ରଥନିର୍ମାଣ ପାଇଁ ପ୍ରାୟ ୮୬୫ ଖଣ୍ଡ କାଠ ପର୍ଯ୍ୟାୟକ୍ରମେ ଆଣାଯିବ।ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖସ୍ଥ ବଡ଼ଦାଣ୍ଡ ରଥଖଳାରେ ପ୍ରଥମେ ଚୁନପାଣି ଛିଟାଇ ସ୍ଥଳକୁ ପବିତ୍ର କରାଯାଏ। ପରେ ୩ ଖଣ୍ଡ ଧଉରା କାଠର ମାଜଣା ହୋଇ, ବିଧିମତେ ପୂଜାର୍ଚ୍ଚନା ସମ୍ପନ୍ନ କରାଯାଏ।
ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ହେଉଥିବା ଏହି ପୂଜାରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ପାଇଁ ଗୁଜ ଅନୁକୂଳ କରାଯାଏ। ଏହି ପର୍ବ ରଥ ନିର୍ମାଣ ପ୍ରକ୍ରିୟାର ଆଧ୍ୟାତ୍ମିକ ଓ ପାରମ୍ପରିକ ଆରମ୍ଭକୁ ସୂଚିତ କରେ। ଶ୍ରୀପଞ୍ଚମୀଠାରୁ ରଥ ନିର୍ମାଣ ସମ୍ପର୍କିତ ସମସ୍ତ ପ୍ରସ୍ତୁତି ଜୋରଦାର ହୋଇଯାଏ। ପରବର୍ତ୍ତୀ ପର୍ବ ଭାବେ ରାମନବମୀରେ କାଠ ଚିରଟ ଏବଂ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବ।ଭକ୍ତମାନଙ୍କ ପାଇଁ ଏହା କେବଳ ଏକ ପରମ୍ପରା ନୁହେଁ, ବରଂ ମହାପ୍ରଭୁଙ୍କ ସହ ଆତ୍ମିକ ସମ୍ପର୍କର ପୁନରୁଦ୍ଧାର। ରଥକାଠ ଅନୁକୂଳ ସହିତ ଆଜିଠାରୁ ଶ୍ରୀଗୁଣ୍ଡିଚା ଯାତ୍ରାର ଧାର୍ମିକ ଯାତ୍ରା ଆରମ୍ଭ ହେଲା।

